ଢେଙ୍କାନାଳ: ସେପଟେ ଚିକିତ୍ସା ପାଇଁ ଭୁବନେଶ୍ୱର ଯାଇଥିବାବେଳେ ଏପଟେ ଘରୁ ଚୋରମାନେ କଳାକନା ବୁଲାଇଦେଇଛନ୍ତି । କାମାକ୍ଷାନଗର ଥାନା ଅନ୍ତର୍ଗତ ଅନନ୍ତପୁରରେ ଏକ ବଡ଼ ଧରଣର ଡକାୟତି ହୋଇଛି । ଲୁଟେରାମାନେ ଗୋପାଳ ଚନ୍ଦ୍ର ମଲଙ୍କ ଘରୁ ୭୦ ଭରି ସୁନା, ୫୦ ଭରି ରୁପା ଓ ଦେଢଲକ୍ଷ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ଗତକାଲି ଗୋପାଳଙ୍କ ପରିବାର ଚିକିତ୍ସା ପାଇଁ ଭୁବନେଶ୍ୱର ଆସିଥିଲେ । ଏହି ସମୟରେ ଲୁଟେରାମାନେ ତାଙ୍କ ଘରେ ପଶି ଲୁଟ୍ କରିଛନ୍ତି । ପ୍ରଥମେ ଠାକୁର ଘର ଝରକା ଦେଇ ପ୍ରବେଶ କରିବା ସହିତ ଘରେ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରାକୁ ନଷ୍ଟ କରିଦେଇଥିଲେ । ଏହା ପରେ ସବୁ କୋଠରୀ ପଶି ଲୁଟ୍ କରିଥିଲେ । ଘରେ ଲୋକେ ଫେରିବା ପରେ ଘରର ଅବସ୍ଥା ଦେଖି ପାଦ ତଳୁ ମାଟି ଖସି ଯାଇଥିଲା । ଏ ନେଇ ତୁରନ୍ତ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି ।
ପୋଲିସ ସନ୍ଧାନୀ କୁକୁର ଟିମ୍ ସହିତ ପହଁଚି ତଦନ୍ତ ଆରମ୍ଭ କରିଛି । ଘର ଭିତରକୁ ପ୍ରବେଶ କରିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଯାହାକୁ ଆଧାର କରି ତଦନ୍ତ ଜାରି ରହିଛି ।
ଅନ୍ୟପକ୍ଷରେ ଗତ ମାସକ ମଧ୍ୟରେ କାମାକ୍ଷାନଗର ଥାନା ଅଞ୍ଚଳରୁ ବାରମ୍ବାର ଚୋରି ହେଉଥିବାର ଖବର ଆସୁଛି । ମନ୍ଦିର, ଘର କିଛି ଛାଡ଼ୁ ନାହାଁନ୍ତି । ବାରମ୍ବାର ଏତେ ଅଭିଯୋଗ ପରେ ମଧ୍ୟ ପୋଲିସ ଲୁଟେରାଙ୍କ ଟେର୍ ପାଉନି । ଯାହାକି କାମାକ୍ଷାନଗର ଥାନା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି ।