ଭୁବନେଶ୍ୱର: ୧୨ ଏପ୍ରିଲ ଶନିବାର ବିଳମ୍ବିତ ରାତିର ଘଟଣା। ରାମମନ୍ଦିର ବାହାରେ ଜଣେ ଦୃଷ୍ଟିହୀନ ମାଆଠାରୁ ୨ ବର୍ଷର ଶିଶୁପୁତ୍ରକୁ ଅପହରଣ କରିନିଆଗଲା। ରାଜଧାନୀ ଛାତି ଉପରେ ରାତିରେ ଜଣେ ମା’ ଠାରୁ ଶିଶୁ ଚୋରୀ କରିନେବାର ଏ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କଲା। ପିଲାକୁ ହରାଇ ଭାଙ୍ଗିପଡ଼ିଥିବା ମା’ ଜୟନ୍ତୀ ମଲ୍ଲିକ ଏନେଇ ଖାରବେଳନଗର ଥାନାରେ ରବିବାର ଅଭିଯୋଗ କରିଥିଲେ। ପୋଲିସ ତାଙ୍କ ଏତଲାକୁ ଆଧାର କରି ଏକ ଅପହରଣଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଥିଲା ନିର୍ଦ୍ଦେଶ:
ସେପଟେ ଏହି ଘଟଣା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ କାଳ ବିଳମ୍ବ କରା ନ ଯାଇ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀଙ୍କୁ ଏନେଇ ଅବଗତ କରାଯାଇଥିଲା। ତୁରନ୍ତ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଅପରାଧୀକୁ ଧରିବାକୁ ସିଏମଓ ପକ୍ଷରୁ କମିସନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ, ଆଉ ଏହାପରେ ଆକ୍ସନ ମୋଡକୁ ଆସିଥିଲା କମିସେନରେଟ ପୋଲିସ।
ଶିଶୁକୁ ଉଦ୍ଧାର ପାଇଁ ୪ ସ୍ୱତନ୍ତ୍ର ଟିମ୍
ଶିଶୁକୁ ଖୋଜିବା ପାଇଁ ଗଢାହେଲା କମିସନରେଟ ପୋଲିସ ୪ଟି ସ୍ୱତନ୍ତ୍ର ଟିମ୍। ବିଭିନ୍ନ ସ୍ଥାନରେ ହେଲା ଛାନଭିନ୍। ଚାରିଆଡେ ସିସିଟିଭି ଯାଂଚ କରାଗଲା। ଅପହରଣକାରୀ ଶିଶୁପୁତ୍ରକୁ ଧରି ଭୁବନେଶ୍ବର ରେଳଷ୍ଟେସନ୍ ଭିତରକୁ ଯାଇଥିବା ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଥିଲା । ଏହି ଆଧାରରେ ପୋଲିସ ଅପହରଣକାରୀ ପାଖରେ ପହଞ୍ଚିବାକୁ ୪ଟି ଟିମ୍ ଗଠନ କରି ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇଥିଲା ।
ଆକ୍ସନ ମୋଡରେ କମିସନରେଟ୍ ପୋଲିସ
କୋଲକାତାର ଖଡ଼ଗପୁର, ହାୱଡ଼ା ସମେତ ରାଜ୍ୟର ବିଭିନ୍ନ ରେଳଷ୍ଟେସନ୍କୁ ସିସିଟିଭି ଫୁଟେଜ୍ ପଠାଇ ପୋଲିସ ଅପହର୍ତ୍ତା ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ ଉଦ୍ୟମ ଚଳାଇଥିଲେ । ଏଇ ସମୟରେ ପୋଲିସ ଜାଣିବାକୁ ପାଇଥିଲା ଶିଶୁଟିକୁ ଟ୍ରେନରେ ନେଇ ଯାଇଛି ଅଭିଯୁକ୍ତ। ଶେଷରେ ବାଲେଶ୍ୱର ଖନ୍ତାପଡା ବୋଇତା ଗାଁରେ ଚଢାଉ କରି ଶିଶୁପୁତ୍ରକୁ ପୋଲିସ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ଅପହରଣ ୫୦ ଘଣ୍ଟା ଭିତରେ ପ୍ରାୟ ୮ଟି ସିସିଟିଭି ଯାଞ୍ଚ ପରେ ପୋଲିସକୁ ମିଳିଥିଲା ଏହି ସଫଳତା। ଶେଷରେ ପୋଲିସ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର କରି ଭୁବନେଶ୍ୱର ଆଣିଥିଲା।
ହଜିଲା ପୁଅକୁ ଫେରିପାଇଲା ମା’:
ଉଦ୍ଧାର ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଛୁଆଟିର ସ୍ୱାସ୍ଥ୍ୟପରୀକ୍ଷା ପରେ ମା’ କୋଳକୁ ଫେରାଇ ଦିଆଯାଇଛି। ପୁଅକୁ କୋଳରେ ଧରି ମା”ର ଖୁସି କହିଲେ ନସରେ। ୩ ଦିନ, ୩ ରାତିର ଯନ୍ତ୍ରଣାଭରା ଅପେକ୍ଷା ପରେ ଛୁଆକୁ କୋଳରେ କୋଳେଇ ଖୁସିରେ ଗଦଗଦ ହୋଇଯାଇଛି ମାଆ। ଆଖି ସିନା ନାହିଁ ପୁଅକୁ ଟିକେ ଦେଖିବାକୁ ହେଲେ କୋଳରେ ଧରି ତାର ସ୍ପର୍ଶ ପାଇ କାନ୍ଦି କାନ୍ଦି ଭାବବିହ୍ୱଳ ହୋଇପଡ଼ିଥିଲା ମା। ସେଇ ମୂହୂର୍ତ୍ତ ଲାଗୁଥିଲା, ଭଗବାନ ଆଜି ତା’ କୋଳରେ ସବୁ ଖୁସି ଅଜାଡ଼ି ଦେଇଛନ୍ତି।
ପୁଅକୁ ପାଇ ଖୁସିରେ ବିଭୋର ମା:
ପୁଅକୁ ପାଇବା ପରେ ଅପହୃତ ଶିଶୁ ମା’ କହିଛନ୍ତି, ମୋ ପୁଅକୁ ଫେରି ପାଇବି ବୋଲି ଆଶା କରିନଥିଲି। ମୋ ପୁଅକୁ ପାଇ ଭାରି ଖୁସି ଲାଗୁଛି। ରାମଙ୍କ ସ୍ଥାନରେ ମୋ ପୁଅ ହଜିଯାଇଥିଲା। ଏଥିପାଇଁ ରାମଙ୍କ ଉପରେ ମୁଁ ଅଭିମାନ କରିଥିଲି। ଶେଷରେ ପ୍ରଭୁ ଶ୍ରୀରାମ ମୋ ଛୁଆକୁ ଫେରାଇ ଦେଇଛନ୍ତି। ଛୁଆକୁ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପୋଲିସ କମିଶନରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅପହୃତ ଶିଶୁର ମା’।
ସଫଳ ହୋଇଛି ପୋଲିସ:
ଏହି ଘଟଣାକୁ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା ତୁରନ୍ତ ପିଲାକୁ ରେସ୍କ୍ୟ କରିବାକୁ, ଆମ୍ ଟିମ୍ ମୁଖ୍ୟ ଅଭିଯୁକ୍ତ କେଦାରସନ ପଣ୍ଡାକୁ ପୁରୀରୁ ଗିରଫ କରାଯାଇଛି। କେଦାର ନାଁରେ ପୂର୍ବରୁ ୩ଟି ଚୋରି ମାମଲା ରହିଛି। ଆଉ ଜଣେ ମହିଳାଙ୍କୁ ଆମେ ଅଟକ ରଖିଛୁ। ୨ ଜଣ ବାଇକ୍ ଆରୋହୀଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇନି। ମହିଳା ଜଣଙ୍କ କାହିଁକି ପିଲାକୁ ନେଇଥିଲେ ସ୍ପଷ୍ଟ ହୋଇନି। ଆଡପ୍ଟ ପାଇଁ ନା ବିକ୍ରି ପାଇଁ ପିଲା ନେଇଥିଲେ, ତାହାର ତଦନ୍ତ ଚାଲିଛି।
ଅଧିକ ପଢନ୍ତୁ: ସ୍ୱଂୟ ସହାୟକ ଗୋଷ୍ଠୀ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ୧୦ ଲକ୍ଷ ପର୍ଯ୍ୟନ୍ତ ୠଣ ଉପରେ ସୁଧ ଛାଡ଼