ବଲାଙ୍ଗୀର: ସାଙ୍ଗର କାଠ ଫାଳିଆ ମାଡ଼ରେ ପ୍ରାଣବାୟୁ ଉଡ଼ିଗଲା ସାଙ୍ଗର । ମୃତକଙ୍କ ଭାଇ ଗୁରୁତର ଭାବେ ଆହତ । ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ଖପ୍ରାଖୋଲ ଥାନା ପୂତୁଲାମହୁଲ ଓ ବନ୍ଦେପଦର ଗାଁ ମଝିରେ। ମୃତକ ଜଣକ ହେଲେ ବନ୍ଦେପଦର ଗାଁ ର ସୁସିଲ ସାହୁ ଏବଂ ଗୁରୁତର ହେଲେ ତାଙ୍କ ଭାଇ ବିକାଶ ସାହୁ ।
ସୂଚନାନୁଯାୟୀ ଟଙ୍କା ନେଣଦେଣ କଥାକୁ ନେଇ ପୁତୁଳାମହୁଲ ଗାଁର ପିଣ୍ଟୁ ସାହୁ ଏବଂ ସୁଶିଲ ସାହୁଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା । ଫଳରେ ରାଗରେ କାଠ ଫାଳିଆରେ ପିଣ୍ଟୁ ସୁଶିଲଙ୍କୁ ଆକ୍ରମଣ କରିଥିଲା । ଏଥିରେ ସୁଶିଲଙ୍କ ଭାଇ ବିକାଶ ସାହୁ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଘଟଣା ସ୍ଥଳରେ ହିଁ ସୁଶୀଲଙ୍କ ମୃତ୍ୟୁ ଘଟିଥିଲା। ଟଙ୍କା ନେଣଦେଣ ନେଇ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି। ମୃତକଙ୍କ ପରିବାର ଲୋକେ ଏନେଇ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଗୁରୁତର ବିକାଶ ଖପ୍ରାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ହତ୍ୟା କରିଥିବା ସାଙ୍ଗ ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବାର ଥାନା ଅଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି।