ମୁମ୍ବାଇ: ଦୁନିଆ ଯେତେ ଆଧୁନିକତାକୁ ଗ୍ରହଣ କରୁଛି ମଣିଷର ମାନସିକତା ସେତେ କଳୁଷିତ ଏବଂ କୁତ୍ସିତ ହୋଇଯାଉଛି । କାହା ସହିତ ମନୁଷ୍ୟ କଣ ବ୍ୟବହାର କରୁଛି, ତାହା ନିଜେ ବି ଜାଣିପାରୁନି । ଛୋଟ କଥାରେ ହତ୍ୟା, ସମ୍ପର୍କ ସ୍ଥାପନ ଆଳରେ ଯୌନ ନିର୍ଯ୍ୟାତନା, ଦୁଷ୍କର୍ମ ଭଳି ଅପରାଧ ବଢ଼ି ଚାଲିଛି । ମାୟାନଗରୀ ମୁମ୍ବାଇର ଏକ ଯୌନ ନିର୍ଯ୍ୟାତନା ଘଟଣା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଛି । ସେ ପୁଣି ଜଣେ ମହିଳା ଶିକ୍ଷୟତ୍ରୀ । ଗୁରୁ ଶବ୍ଦକୁ କଳୁଷିତ କରିଦେଇଛି ଶିକ୍ଷୟତ୍ରୀଙ୍କ କାର୍ଯ୍ୟକଳାପ । ମୁମ୍ବାଇର ଏକ ନାମୀଦାମୀ ଘରୋଇ ବିଦ୍ୟାଳୟର ଶିକ୍ଷୟତ୍ରୀ ଦୀର୍ଘ ଏକ ବର୍ଷ ହେବ ନିଜର ଜଣେ ନାବାଳକ ଛାତ୍ରଙ୍କୁ ନିଶା ଦେଇ ଯୌନ ନିର୍ଯ୍ୟାତନା ଦେଉଥିବା ଭଳି ମାମଲା ସାମ୍ନାକୁ ଆସିଛି ।
ଛାତ୍ରଟି ଏ ବାବଦରେ ପରିବାର ଲୋକଙ୍କୁ ଜଣାଇବାରେ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ପୋକ୍ସୋ ଧାରା ଅନୁଯାୟୀ ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କୁ ଗିରଫ କରିଛି । ତେବେ ପୋଲିସ ଉକ୍ତ ମହିଳାଙ୍କ ନାମକୁ ଗୋପନୀୟ ରଖିଛି । ଏହା ସହିତ ଶିକ୍ଷୟତ୍ରୀଙ୍କୁ ସହଯୋଗ କରିଥିବା ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି ।
ପୋଲିସର ସୂଚନା ମୁତାବକ, ୨୦୨୩ରୁ ଘଟଣା ଆରମ୍ଭ ହୋଇଥିଲା । ଇଲାଇଟି ମୁମ୍ବାଇ ସ୍କୁଲର ଶିକ୍ଷୟତ୍ରୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଇଁ ନୃତ୍ୟ ଶିଖାଉଥିଲେ । ଗ୍ରୁପ୍ ନୃତ୍ୟ ପାଇଁ ଶିକ୍ଷା ଦେଉଥିବାବେଳେ ଛାତ୍ରଙ୍କ ସମ୍ପର୍କରେ ଆସିଥିଲେ । ୨୦୨୪ ଜାନୁୟାରୀରେ ଶିକ୍ଷୟତ୍ରୀ ଜଣକ ପ୍ରଥମେ ଛାତ୍ର ସହିତ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ । ପୀଡ଼ିତ ଜଣକ ଏହାକୁ ବିରୋଧ କରିଥିଲେ । ଏହା ପରେ ତାଙ୍କୁ ପ୍ରବର୍ତ୍ତାଇବା ପାଇଁ ଶିକ୍ଷୟତ୍ରୀ ଅନ୍ୟ ଜଣେ ମହିଳା ବନ୍ଧୁଙ୍କୁ କହିଥିଲେ । ଉକ୍ତ ମହିଳା ମଧ୍ୟ ପୀଡ଼ିତ ଛାତ୍ରକୁ ବୁଝାଇବାକୁ ଚେଷ୍ଟା କରିଥିଲେ ।
ଜଣେ ବୟସ୍କ ମହିଳା ଏବଂ କିଶୋର ପୁଅମାନଙ୍କ ମଧ୍ୟରେ ଏପରି ସମ୍ପର୍କ ସାଧାରଣ କଥା ବୋଲି ମହିଳା ଜଣକ ଛାତ୍ରକୁ ବୁଝାଇଥିଲେ । ଉଭୟ ଉଭୟଙ୍କ ପାଇଁ ତିଆରି ହୋଇଛନ୍ତି ବୋଲି କହିଥିଲେ । ଏହା ପରେ ଶିକ୍ଷୟତ୍ରୀ ଜଣକ ବିଭିନ୍ନ ତାରକା ହୋଟେଲକୁ ନେଇ ଏକାଧିକବାର ସମ୍ପର୍କ ରଖିଥିଲେ । ଶିକ୍ଷୟତ୍ରୀ କୁତ୍ସିତ ମାନସିକତା ଆହୁରି କୁତ୍ସିତ ହୋଇଯାଇଥିଲା । ସମ୍ପୃକ୍ତ ପୀଡ଼ିତକୁ ଶିକ୍ଷୟତ୍ରୀ ନିଶା ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ରିପୋର୍ଟରେ କୁହାଯାଇଛି ।
ତେବେ ପୁଅର ବ୍ୟବହାରରେ ପରିବର୍ତ୍ତନ ଦେଖିବା ପରେ ପରିବାର ଲୋକଙ୍କ ସନ୍ଦେହ ଘନୀଭୂତ ହୋଇଥିଲା । ପୁଅକୁ ପଚାରିବା ପରେ ଏଭଳି ଜଘନ୍ୟ କାଣ୍ଡ ବିଷୟରେ ପରିବାର ଅବଗତ ହୋଇଥିଲା । କିନ୍ତୁ ପୁଅର ଭବିଷ୍ୟତ ଅନ୍ଧାର ହୋଇଯିବ ଭାବି ପ୍ରାଥମିଭାବେ ଅଭିଯୋଗ ନ କରିବାକୁ ନିଷ୍ପତ୍ତି ନେଇଥିଲେ । ବିଦ୍ୟାଳୟରେ ସ୍ନାତକ ପରୀକ୍ଷା ଶେଷ ହେବା ପରେ ସମ୍ପୃକ୍ତ ଶିକ୍ଷୟତ୍ରୀ ତାକୁ ହଇରାଣ କରିବା ବନ୍ଦ କରିଦେବେ ବୋଲି ପରିବାର ଭାବିଥିଲା ।
କିନ୍ତୁ ପୁଅର ବୋର୍ଡ ପରୀକ୍ଷା ଶେଷ ହେବା ପରେ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଥିଲା । ଶିକ୍ଷୟତ୍ରୀ ଜଣକ ପୁଣି ଥରେ ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ଶିକ୍ଷୟିତ୍ରୀ ତାଙ୍କର ଜଣେ ଘରୋଇ କର୍ମଚାରୀଙ୍କ ମାଧ୍ୟମରେ ଛାତ୍ରଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ତାଙ୍କୁ ଭେଟିବାକୁ କହିଥିଲେ । ଏହାପରେ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ ବୋଲି ପୋଲିସ ସୂଚନା ଦେଇଛି।