ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ୍ ଅନ୍ତର୍ଗତ ଅଡାଟାକିରି ଗ୍ରାମରେ ଏକ ଜଘନ୍ୟ ଅପରାଧ ଘଟିଛି । ଝିଅର ପ୍ରେମକୁ ବିରୋଧ କରି ବାପା ଉଭୟ ପ୍ରେମିକା ଓ ପ୍ରେମିକଙ୍କୁ ଆକ୍ରମଣ କରିଛନ୍ତି । ଫଳରେ ପ୍ରେମିକର ମୃତ୍ୟୁ ହୋଇଥିବାବେଳେ ପ୍ରେମିକା ଗୁରୁତର ଅଛି । ମୃତ ଯୁବକ ଜଣକ ହେଲେ ମଙ୍ଗଳୁ ମାଝୀ । ପ୍ରେମିକା ଜଣକ ହେଲେ ବିଜୟ ମାଝୀଙ୍କ ଝିଅ ଲଳିତା ମାଝୀ ।
ଅଡାଯୋର୍ ଗ୍ରାମର ବିଜୟ ମାଝୀଙ୍କ ଝିଅ ଲଳିତା ଓ ମଙ୍ଗଳୁ ମାଝୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ମାତ୍ର ଝିଅର ପରିବାର ଲୋକ ଏହାକୁ ବିରୋଧ କରି ଆସୁଥିଲେ । ସେଥିପାଇଁ ପ୍ରେମୀଯୁଗଳ ଗତ ମାସେ ହେଲା ଘରୁ ଫେରାର ହୋଇଯାଇଥିଲେ । ଗତ ସପ୍ତାହକ ପୁର୍ବରୁ ଗାଁକୁ ଫେରିଥିଲେ । ଝିଅ ଲଳିତା ନିଜ ଘରେ ଥିଲାବେଳେ ଗତକାଲି ତାକୁ ନେଇ ଯିବାକୁ ମଙ୍ଗଳୁକୁ କହିଥିଲା । ଗତକାଲି ସନ୍ଧ୍ୟାରେ ମଙ୍ଗଳୁ ପ୍ରେମିକାକୁ ନେବାବେଳେ ଝିଅର ବାପା ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ମଙ୍ଗଳୁଙ୍କ ମୃତ୍ୟୁ ହୋଇଥିବାବେଳେ ଝିଅ ଅବସ୍ଥା ଗୁରୁତର ରହିଛି । ଲଳିତାଙ୍କୁ ପ୍ରଥମେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ସେପଟେ ଏ ନେଇ କାଶୀପୁର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଗାଁରେ ପହଁଚି ଖୋଳତାଡ଼ ଆରମ୍ଭ କରିଛି । କିନ୍ତୁ ଅଭିଯୁକ୍ତ ବିଜୟ କେଉଁଆଡ଼େ ଫେରାର ହୋଇଯାଇଥିବା ଜଣା ପଡ଼ିଛି । ପୋଲିସ ତଦନ୍ତ ଜାରି ରଖିଛି ।