ଭୁବନେଶ୍ୱର: ରସୁଲଗଡ଼ ଓଭରବ୍ରିଜ ଉପରେ ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କୁ କରାଯାଇଥିବା ବିଭତ୍ସ ହତ୍ୟାକାଣ୍ଡର ଗୁରୁାବର କ୍ରାଇମ ସିନ୍ ରିକ୍ରିଏସନ୍ କରାଯାଇଛି । ଗିରଫ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକକୁ ଦୟାନଦୀ କୂଳକୁ ନିଆଯାଇ ସିନ୍ ରିକ୍ରିଏସନ୍ କରାଯାଇଛି । ଅଭିଯୁକ୍ତ ହତ୍ୟାରେ ବ୍ୟବହୃତ ଖଣ୍ଡାକୁ ଏକ ବ୍ୟାଗରେ ଭର୍ତ୍ତି କରି ନଦୀରେ ଫିଙ୍ଗି ଦେଇଥିବା କହିଛି । ଉକ୍ତ ବ୍ୟାଗକୁ ଲକ୍ଷ୍ମୀଧର ନଦୀରୁ ଆଣିଛି । ଆଜି ସମସ୍ତ ୩ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକ, ରକି ନାୟକ ଏବଂ ଲିପିକା ନାୟକଙ୍କୁ କୋର୍ଟ ଚାଲାଣ କରାଯିବାର ସୂଚନା ରହିଛି ।
କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଛି । ହତ୍ୟା କାଣ୍ଡକୁ ୧୨ ଘଣ୍ଟା ନ ପୁରୁଣୁ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି, ଯିଏ କି ଏ ସମ୍ପୂର୍ଣ୍ଣ ଘଟଣାରେ ମାଷ୍ଟରମାଇଣ୍ଡ ବୋଲି କୁହାଯାଇଛି । ନୟାଗଡ଼ ଶରଣକୂଳ ଅଞ୍ଚଳରୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ସେମାନେ ହେଲେ ଲିପିକା ନାୟକ, ରକି ନାୟକ ଓ ଲକ୍ଷ୍ମୀଧର ନାୟକ । ବ୍ରାଉନ ସୁଗାର ବ୍ୟବସାୟକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି ।
ପ୍ରକାଶ ଯୋଗ୍ୟ, ଗତକାଲି ସକାଳେ ସହହେବ ନାୟକ ନିଜ ଝିଅକୁ ସ୍କୁଲରେ ଛାଡ଼ି ଫେରିବା ବାଟରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ରସୁଲଗଡ଼-ବାଣୀବିହାର ରାସ୍ତାରେ ତାଙ୍କ ମୁଣ୍ଡ କାଟି ଦେଇଥିଲେ କିଛି ବ୍ୟକ୍ତି । ଏହା ପରେ ଫେରାର ହୋଇଯାଇଥିଲେ । ସହଦେବଙ୍କ ସ୍ତ୍ରୀ କେଦାରପଲ୍ଲୀ ସାହିର ରମା ନାୟକ, ସତ୍ୟ, ଦିଲୁ ନାୟକ, ସୁସେଇ ନାୟକ ଓ ଅନ୍ୟ ଚାରି ପାଞ୍ଚ ଜଣ ମିଶିକି ହତ୍ୟା କରିଥିବା ଅଭିଯୋଗ କରିଥିଲେ । ବ୍ରାଉନସୁଗାର କାରବାରକୁ ନେଇ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ସେ କହିଥିଲେ । କମିଶନରେଟ୍ ପୋଲିସ ତୁରନ୍ତ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ପୋଲିସ ଟିମ୍ ଖୋର୍ଦ୍ଧା ଏବଂ ନୟାଗଡ଼ ଅଭିମୁଖେ ବାହାରି ଥିଲା । ସେମାନଙ୍କ ମୋବାଇଲକୁ ଟ୍ରାକ୍ କରି ନୟାଗଡ଼ ଶରଣକୁଳ ବଜାରରୁ ୩ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ।
ତେବେ ଗତ ବର୍ଷ ନଭେମ୍ବର ମାସରେ ସହଦେବଙ୍କ ଘରକୁ ଆସି କିଛି ଲୋକ ହତ୍ୟା ଧମକ ମଧ୍ୟ ଦେଇଥିଲେ । ଏ ନେଇ ସେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ।