ବ୍ରହ୍ମପୁର: ରାଜ୍ୟର ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାର ପର୍ଦ୍ଦାଫାସ୍ ହୋଇଛି । ଦୀର୍ଘ ୧୭ ଦିନ ପରେ ବ୍ରହ୍ମପୁର ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ପୀତବାସଙ୍କ ହତ୍ୟାରେ ବିଜେଡ଼ି ନେତାଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଛି । ପୂର୍ବତନ ବିଜେଡ଼ି ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପୋଲିସ ଗିରଫ କରାଯାଇଛି । ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଛି ।
ମାମଲାରେ ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତମାନେ ହେଲେ ପୂର୍ବତନ ବ୍ରହ୍ମପୁର ମେୟର ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସ , ବିଜେଡ଼ି କର୍ପୋରେଟର୍ ମଳୟ ବିଷୋୟୀ, ମଦନ ମୋହନ ଦଳେଇ, ସୁଟର୍ କାଳୁଚରଣ ଭୂୟାଁ ଓ ଚିଣ୍ଟୁ ପ୍ରଧାନ, ଛାତ୍ରନେତା ଯୋଗେନ୍ଦ୍ର ରାଉତ, ରାଜେନ୍ଦ୍ର ସାହୁ, ସୁପାରୀ ନେଇଥିବା ପାଟନାର ଶିଶୁପାଲ କୁମାର ପାସୱାନ ଓ କୁନ୍ଦନ କୁମାର, ବିପିନ ସ୍ୱାଇଁ ଓ ସୀମାଞ୍ଚଳ ନାୟକ । ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ଏହା ସହିତ ଆଉ ଜଣେ ଷଡ଼ଯନ୍ତ୍ରକାରୀ ସୁଦର୍ଶନ ଜେନା ଓ ସହଯୋଗ କରୁଥିବା ଉମା ବିଷୋୟୀ ଫେରାର ଅଛି । ବ୍ରହ୍ମପୁର ଏସପି ବିବେକ ଶ୍ରବଣା ଏମ୍. ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ବ୍ରହ୍ମପୁର ଏସପି ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ବିକ୍ରମ ପଣ୍ଡାଙ୍କୁ ତାଙ୍କ ବାସଭବନରୁ ଉଠାଇ ନେଇଥିଲା । ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରିଥିଲା ପୋଲିସ । ପୂର୍ବରୁ ମଧ୍ୟ ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସ, କର୍ପୋରେଟର, ଜଣେ ଛାତ୍ର ନେତା, ସାର୍ପ ସୁଟର୍ ଏବଂ ରେକି କରିଥିବା ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଥିଲା । ତେବେ ଆଜି ପୂର୍ବାହ୍ନରେ ବିକ୍ରମ ପଣ୍ଡା, ମଦନ ଦଳେଇ, ଶିବଶଙ୍କର ଦାସ ଏବଂ ମଳୟ ବିଷୋୟୀଙ୍କୁ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି ।
ସେପଟେ ଖବର ପାଇ ବିଜେଡ଼ି କର୍ମୀମାନେ ବ୍ରହ୍ମପୁର ଏସପିଙ୍କ କାର୍ୟ୍ୟାଳୟ ଘେରିବାକୁ ଉଦ୍ୟମ କରିଛନ୍ତି । ଶତାଧିକ ବିଜେଡ଼ି କର୍ମୀ ଏବଂ ବିକ୍ରମଙ୍କ ସମର୍ଥକମାନେ ଏସପି କାର୍ୟ୍ୟାଳୟ ସମ୍ମୁଖରେ ହୋହାଲ୍ଲା କରିଛନ୍ତି । କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଅକ୍ଟୋବର ୬, କୁମାର ପୂର୍ଣ୍ଣିମା ରାତିରେ ପୀତବାସ ପଣ୍ଡାଙ୍କୁ ତାଙ୍କ ବାସଭବନ ନିକଟରେ ହିଁ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରିଥିଲେ । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ପଏଣ୍ଟ ବ୍ଲାଙ୍କରୁ ଛାତିକୁ ଗୁଳି କରିଥିଲେ । ଫଳରେ ପୀତବାସଙ୍କର ମୃତ୍ୟୁ ହୋଇଥିଲା । ପୀତବାସଙ୍କ ଶରୀରରୁ ୯ ଏମ୍ଏମ୍ ଗୁଳି ବାହାରିଥିଲା । ଛାତି ଭେଦ କରି ତାଙ୍କ ମେରୁଦଣ୍ଡରେ ଗୁଳି ବାଜିଥିଲା । ପୀତବାସଙ୍କ ଶରୀରୁ ପ୍ରାୟ ୪ ଲିଟର୍ ରକ୍ତ ବୋହିଥିଲା । ଏହି ମାମଲାରେ ପ୍ରାୟ ୧୫ ଦିନ ଧରି ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଜେରା କରିବା ସହିତ ବ୍ରହ୍ମପୁର ସହରଠାରୁ ଆରମ୍ଭ କରି ରାଜପଥ ଯାଏ ୭୦ରୁ ଅଧିକ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଥିଲା ।