ମୟୁରଭଞ୍ଜ: ବିପଦପୂର୍ଣ୍ଣ ଭାବେ ସେଲଫି ନେବା ଦ୍ୱାରା ହେଉଥିବା ଅଘଟଣ ଖବର ବାରମ୍ବାର ଆସୁଥିବା ସତ୍ୱେ ସୁଧୁରୁ ନାହାଁନ୍ତି ଯୁବପୀଢ଼ୀ । ମୃତ୍ୟୁକୁ ଡାକି ଆଣୁଛି ସେଲଫି ନିଶା । ପୁଣି ଏଭଳି ଏକ ସମ୍ବେଦନଶୀଳ ଖବର ଆସିଛି ମୟୁରଭଞ୍ଜ ଜିଲ୍ଲାରୁ । ସେଲଫି ନେବାବେଳେ ପାଣିରେ ବୁଡ଼ି ଚାଲିଯାଇଛି ଜଣେ ନାବାଳକର ଜୀବନ । ମୃତକ ଜଣକ ହେଲେ ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ଦେବକାନ୍ତ ନାୟକଙ୍କ ପୁଅ ନିଶିକାନ୍ତ ନାୟକ (୧୭) । ୨୦ଘଣ୍ଟା ପରେ ବହୁ ଖୋଜାଖୋଜି କରିବା ପରେ ଅଗ୍ନିଶମ ବାହିନୀ ନାବାଳକର ମୃତ ଦେହକୁ ପାଣି ଭିତରୁ ଉଦ୍ଧାର କରିଛି ।
ନିଶିକାନ୍ତ ନାୟକ ଉପେନ୍ଦ୍ର ସାରଦା ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନର ପ୍ରଥମ ବର୍ଷ ଛାତ୍ର ଅଟନ୍ତି । ସ୍ଥାନୀୟ ଗ୍ରାମର ଜେନିଥ କୋଚିଂ ସେଣ୍ଟରରେ ପାଠ ପଢୁଥିଲେ । ଶନିବାର କୋଚିଂ ସେଣ୍ଟରର ସାଙ୍ଗମାନ ସହ ପିକନିକ କରିବାକୁ ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ କାଣ୍ଡିଆ ଜଳପ୍ରପାତକୁ ଯାଇଥିଲେ । ଜଳପ୍ରପାତରେ ବୁଲାବୁଲି କରୁଥିବାବେଳେ ସେଲଫି ନେଉଥିଲେ । ଏହି ସମୟରେ ଅସାବଧାନତା ବଶତଃ ସେ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ତାଙ୍କର କୌଣସି ପତ୍ତା ମିଳି ନ ଥିଲା । ଦୀର୍ଘ ୨୦ ଘଣ୍ଟା ଖୋଜାଖୋଜି କରିବା ପରେ ରବିବାର ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ନିଶିକାନ୍ତଙ୍କ ଏପରି ଅକାଳ ବିୟୋଗରେ ସମ୍ପୂର୍ଣ୍ଣ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି । ତେବେ ପୋଲିସ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ କରିବାକୁ ପଠାଇ ଦେଇଥିବାବେଳେ ତଦନ୍ତ ଜାରି ରଖିଛି ।