ରାଉରକେଲା: ପୁରୁଣା ବର୍ଷା ଶେଷ ହେବା ପୂର୍ବରୁ ଶେଷ ହୋଇଗଲା ଆୟୁଷ । ଅଧୁରା ରହିଗଲା ବଣଭୋଜି ସହିତ ମଉଜ ମସ୍ତି । ପିକନିକ୍ କରିବାକୁ ଯିବାବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ଏଭଳି ଏକ ଦୁଃଖଦ ଖବର ଆସିଛି ରାଉରକେଲା ଚାନ୍ଦିପୋଷ ଥାନା ଅଞ୍ଚଳରୁ । ଏକ ସ୍କର୍ପିଓ ଗାଡ଼ିକୁ ହାଇୱା ଧକ୍କା ଦେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ ଆଦିତ୍ୟ ରାଉଳ (୨୮) ଏବଂ ବିପିନ କୁମାର ସେଠୀ (୨୬) । ଗୁରୁତର ହେଲେ ଶେଖ୍ ରମଜାନ ଓ ପବିତ୍ର ସାହୁ । ଗୁରୁତରଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ବେଦବ୍ୟାସର ଜୈଶ୍ୱାଲ ମୋଟର୍ସର ସେଲ୍ସ ମ୍ୟାନେଜର ଆଦିତ୍ୟ ରାଉଳ, ରମଜାନ୍, ସେଲ୍ସମ୍ୟାନ୍ ବିପିନ ଏବଂ ସେଲ୍ସମ୍ୟାନ୍ ପବିତ୍ର ରବିବାର ବନଭୋଜି କରିବାକୁ ଖଣ୍ଡାଧାର ଜଳପ୍ରପାତକୁ ଯାଉଥିଲେ । ୧୪୩ନଂ ଜାତୀୟ ରାଜପଥର ଚାନ୍ଦିପୋଷ ଥାନା ସମ୍ମୁଖରେ ସ୍କର୍ପିଓଟି ଭାରସାମ୍ୟ ହରାଇ ଡିଭାଇଡରେ ପିଟି ହୋଇଥିଲା । ସେହି ସମୟରେ ବିପରୀତ ଦିଗରୁ ବଣାଇରୁ ରାଉରକେଲା ପଟେ ଦ୍ରୁତଗତିରେ ଆସୁଥିବା ହାଇୱା ଟ୍ରକ୍ ସ୍କର୍ପିଓକୁ ଧକ୍କା ଦେଇଥିଲା । କାରରେ ଡ୍ରାଇଭର ସିଟରେ ବସିଥିବା ଆଦିତ୍ୟ ଓ ବିପିନ୍ ଚାପି ହୋଇଯାଇଥିଲେ । ତୁରନ୍ତ ଅଗ୍ନିଶମ କର୍ମଚାରୀ, ପୋଲିସ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଆର୍ଜିଏଚ୍ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଆଦିତ୍ୟ ଓ ବିପିନକୁ ମୃତ ଘୋଷଣା କରିଛନ୍ତି ।
ଶେଖ ରମଜାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ପୋଲିସ ଦୁଇ ଜଣ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।