ନୋଏଡା: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଉପକଣ୍ଠ ନୋଏଡାର ଇକୋଟେକ୍ ତିନି କୋତୱାଲି ଅଞ୍ଚଳରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ସିଏନ୍ଜିର ଲାଇନ୍ରେ ରହିବାକୁ ନେଇ ଯୁବକଙ୍କ ଦୁର୍ବୃତ୍ତମାନଙ୍କ ସହିତ କଥା କଟାକଟିରୁ ଆରମ୍ଭ ହୋଇଥିଲା ବିବାଦ ।
ପୁଲିସ କହିଛି, ସିଏନ୍ଜି ପାଇଁ ଆସିଥିବା ଅମନ କସାନାଙ୍କ ସାମ୍ନାରେ ଦୁର୍ବୃତ୍ତମାନେ ନିଜର ଗାଡ଼ି ଲଗାଇ ଦେଇଥିଲେ । କିନ୍ତୁ ଏମିତି ନକରିବାକୁ ଅମନ କହିଥିଲେ । ତେବେ ସିଏନ୍ଜି ପମ୍ପରୁ ବାହାରିଲା ମାତ୍ରେ ଅଭିଯୁକ୍ତମାନେ ଅତର୍କିତ ଆକ୍ରମଣ କରିଥିଲେ । ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ । ଘଟଣା ସମୟରେ ଅମନଙ୍କ ସହିତ ଏକ ଛୋଟ ବାଳକ ଥିଲା । ସେ ଯେତେବେଳେ ଅଭିଯୁକ୍ତମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା, ତଥାପି ସେ ସଫଳ ହୋଇ ନଥିଲା । ହାତଯୋଡ଼ି ନେହୁରା ହୋଇଥିଲେ ବି ଦୁର୍ବୃତ୍ତମାନେ କିଛି ଶୁଣି ନଥିଲେ ।
ଅମନ କସାନା ପରିବାରର ଏକମାତ୍ର ପୁଅ ଥିଲେ । ତାଙ୍କର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଅମନ କସାନା ଗାଜିଆବାଦର ରିସ୍ତଲ ନିବାସୀ ଥିଲେ । ସେ ଗ୍ରେଟର ନୋଏଡାର ଖେଡି ଭନୌତା ଗାଁକୁ ନିଜର ସଂପର୍କୀୟଙ୍କ ଘରକୁ ଆସିଥିଲେ ।