ଗୁରୁ-ଶିଷ୍ୟ ସମ୍ପର୍କ କର୍ତ୍ତବ୍ୟନିଷ୍ଠ ଆଉ ଦାୟିତ୍ୱବୋଧତାକୁ ପ୍ରତିପାଦନ କରେ। ହେଲେ ମଣିଷର ନିହିତ ସ୍ୱାର୍ଥ ବାରମ୍ୱାର ଏହି ସମ୍ପର୍କକୁ କଳଙ୍କିତ କରୁଛି। ଆଗକୁ ଗୁରୁଦିବସ ଭଳି ପବିତ୍ର ଅବସର ଥିବାବେଳେ ନିକଟରେ ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଛାତ୍ର ଶିକ୍ଷକଙ୍କ ଗଳାକାଟି ହତ୍ୟା କରିଥିବା ଭଳି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି। ବାରମ୍ବାର ଯୌନ ଶୋଷଣ କରିବା ସହ ଭିଡିଓ ସୁଟ୍ କରି ବ୍ଲାକମେଲ୍ କରୁଥିବାରୁ ଶିକ୍ଷକଙ୍କୁ ହତ୍ୟା କରିଥିବା ମାନିଛି ଅଭିଯୁକ୍ତ ଛାତ୍ର। ଏପରି ଏକ ଅଭାବନୀୟ ଘଟଣା ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି। ମୃତଦେହକୁ ପୋଲିସ ଜବତ କରି ଖୋଳତାଡ କରିବା ପରେ ପୂରା ମାମଲାର ପର୍ଦ୍ଦାଫାସ ହୋଇଛି ।
ପୁଲିସ କହିବା ଅନୁଯାଇ, ଅଗଷ୍ଟ ୩୦, ୨୦୨୩ରେ, ରାତି ପ୍ରାୟ ୨ଟା ୧୫ମିନିଟ ସମୟରେ ଜାମିଆ ନଗର ଅଞ୍ଚଳର ଏକ ଘରେ ମୃତଦେହ ପଡିଥିବାର ଖବର ମିଳିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଜବତ କରିଥିଲା। ପରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ମୃତ ବ୍ୟକ୍ତି ଜଣକ ୨୮ବର୍ଷିୟ ମହମ୍ମଦ ୱାସିମ ବୋଲି ଜଣାପଡିଥିଲା । ସେ ଏକ କୋଚିଂ ସେଣ୍ଟରରେ ଶିକ୍ଷକତା କରୁଥିଲେ ବୋଲି ଜାଣିବାକୁ ପାଇଥିଲା ପୁଲିସ। ସିସିଟିଭି ଫୁଟେଜ ଆଧାରରେ ସେହି କୋଚିଂ ସେଣ୍ଟରର ଜଣେ ୧୬ବର୍ଷିୟ ନାବାଳକକୁ ତଦନ୍ତ ପରିସରଭୁକ୍ତ କରିଥିଲା। ପଚରାଉଚରା ସମୟରେ ନାବାଳକ ସବୁ ସତ ମାନିଛି। ସେହି ହିଁ ତାଙ୍କ ଶିକ୍ଷକଙ୍କ ହତ୍ୟା କରିଥିବା ସ୍ୱୀକାର କରିଛି। ଅଭିଯୁକ୍ତ ନାବାଳକ କହିଛନ୍ତି ଯେ, ୱାସିମ ଜଣେ ସମଲିଙ୍ଗୀ ଥିଲେ। ସେ ତାଙ୍କୁ ବାରମ୍ବାର ଯୌନ ଶୋଷଣ କରିଥିଲେ। ଏପରିକି ଭିଡିଓ ସୁଟ୍ କରି ତାଙ୍କୁ ବ୍ଲାକମେଲ୍ ମଧ୍ୟ କରୁଥିଲେ। ଏଥିରେ ସେ ଅତିଷ୍ଟ ହୋଇ ଏକ ପେପର୍ କଟରରେ ତାଙ୍କ ଗଳା କାଟି ହତ୍ୟା କରିଥିବା ମାନିଛନ୍ତି। ପୁଲିସ ସମ୍ପୃକ୍ତ ନାବାଳକଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ପଢନ୍ତୁ : ମହିଳାଙ୍କୁ ନିବସ୍ତ୍ର କରି ଗାଁ ସାରା ବୁଲାଇଲେ ଶାଶୂଘର ଲୋକେ