ରାୟଗଡ଼ା ସହର ଗୌତମ ନଗର ଠାରେ ଜଣେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ଦୁଇ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଭିଆଇ ଫେରାର ହୋଇଯାଇଛନ୍ତି। ମୃତକ ଜଣକ ହେଉଛନ୍ତି ପ୍ରମୋଦ କିଲାକା ନିଜର ଭାଣିଜୀକୁ ସ୍କୁଲରୁ ନେଇ ଘରକୁ ଫେରିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ପ୍ରମୋଦ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ଭଣଜା ବୋଲି ଜଣାପଡିଛି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ସୂଚନା ଅନୁଯାୟୀ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ଶେଷ ବର୍ଷରେ ପଢୁଥିବା ପ୍ରମୋଦ ଆଜି ନିଜ ଭାଣିଜୀକୁ ସ୍କୁଲରୁ ନେଇ ଘରକୁ ଆସୁଥିଲେ। ସେହି ସମୟରେ ଗୌତମ ନଗର ଠାରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ କିଛି ଯୁକ୍ତି କରିଥିଲେ। ଏହାପରେ ଦୁଇ ଜଣ ଦୁର୍ବୃତ୍ତ ନିଜ ପାଖରେ ଧରିଥିବା ଛୁରୀ ବାହାର କରି ପ୍ରମୋଦଙ୍କ ଉପରେ ଅତର୍କିତ ଆକ୍ରମଣ କରି ଏବଂ ତାଙ୍କ ଛାତିରେ ଭୁଷି ହତ୍ୟା କରିଥିଲେ । ହତ୍ୟା କରିବା ପରେ ଦୁଇ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ପ୍ରମୋଦଙ୍କ ଶବ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ । ଖବର ପାଇ ପ୍ରମୋଦଙ୍କ ପରିବାର ବର୍ଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।
ଅଧିକ ପଢନ୍ତୁ :- ଅର୍ଚ୍ଚନାଙ୍କୁ ହତ୍ୟା ଧମକ !