କାନପୁର: ଉତ୍ତରପ୍ରଦେଶର କାନପୁରର କଲ୍ୟାଣପୁରରେ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏଠାକାର ଏକ ପ୍ରମୁଖ କୋଚିଂ ଇନଷ୍ଟିଚ୍ୟୁଟରେ ପାଠ ପଢ଼ିବାକୁ ଆସିଥିବା ଜଣେ ଛାତ୍ରଙ୍କ ସହ ଦୁଇ ଜଣ ଶିକ୍ଷକ ଏଭଳି ଘଟଣା ଘଟାଇଛନ୍ତି। ଅଭିଯୁକ୍ତମାନେ ତାଙ୍କୁ ୬ ମାସ ଧରି ନିଜ ଫ୍ଲାଟରେ ବନ୍ଧକ ରଖିଥିଲେ। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ସମ୍ପୃକ୍ତ ଧାରା ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି।
ପୀଡ଼ିତା ଜଣକ ଫତେପୁର ଜିଲ୍ଲାର ବାସିନ୍ଦା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ସେ କାନପୁରର କଲ୍ୟାଣପୁରସ୍ଥିତ ଏକ ଅଗ୍ରଣୀ କୋଚିଂ ଇନଷ୍ଟିଚ୍ୟୁଟରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍ ପାଇଁ ପ୍ରସ୍ତୁତହେଉଥିଲେ। ସେ ଏକ ହଷ୍ଟେଲରେ ରହୁଥିଲେ। ଡିସେମ୍ବର ୨୦୨୨ରେ ତାଙ୍କୁ ପାଠ ପଢ଼ାଉଥିବା ଜୀବବିଜ୍ଞାନ ଶିକ୍ଷକ ସାହିଲ ସିଦ୍ଦିକି ତାଙ୍କୁ ମାକ୍ରି-ଖେରା ଅଞ୍ଚଳରେ ଥିବା ତାଙ୍କ ବନ୍ଧୁଙ୍କ ଫ୍ଲାଟରେ ଏକ ନବବର୍ଷ ପାର୍ଟିକୁ ନିମନ୍ତ୍ରଣ କରିଥିଲେ। କୋଚିଂ ଇନଷ୍ଟିଚ୍ୟୁଟର ଅନ୍ୟ ଛାତ୍ରମାନେ ମଧ୍ୟ ସେଠାରେ ଉପସ୍ଥିତ ରହିବେ ବୋଲି ଅଭିଯୁକ୍ତ ପୀଡ଼ିତାଙ୍କୁ କହିଥିଲେ।
ସହକାରୀ ପୁଲିସ କମିସନର ଅଭିଷେକ ପାଣ୍ଡେ କହିଛନ୍ତି ଯେ ପୀଡ଼ିତା ଯେତେବେଳେ ଫ୍ଲାଟରେ ପହଞ୍ଚିଥିଲେ, ସେତେବେଳେ ଅଭିଯୁକ୍ତ ଶିକ୍ଷକ ସେଠାରେ ଏକାଥିଲେ। ସେ ତାଙ୍କୁ ନିଶାଦ୍ରବ୍ୟ ମିଶା ଥଣ୍ଡା ପାନୀୟ ପିଇବାକୁ ବାଧ୍ୟ କରିଥିଲେ। ଯେତେବେଳେ ସେ ଅଚେତ ହୋଇଗଲେ, ସେ ତାଙ୍କୁ ତାଙ୍କ କାମନାର ଶିକାର କରିଥିଲେ । ଏହି ସମୟରେ ସେ ନିଜ ଦୁଷ୍କର୍ମର ଭିଡିଓ ମଧ୍ୟ ତିଆରି କରିଥିଲେ। ଏହି ଭିଡିଓ ଜରିଆରେ ସେ ତାଙ୍କୁ ବ୍ଲାକମେଲ କରି ପାଖାପାଖି ୬ ମାସ ଧରି ଫ୍ଲାଟରେ ବନ୍ଧକ ରଖିଥିଲେ। ଏହି ସମୟରେ ସେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ।