ମହାରାଷ୍ଟ: ମହାରାଷ୍ଟ୍ର ପୁଣେରେ ମହିଳାଙ୍କୁ ବସ୍ ରେ ଦୁଷ୍କର୍ମ ମାମଲା । ୨୭ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏହାରି ଭିତରେ ଦୁଷ୍କର୍ମକାରୀର ଫଟୋ ଜାରି କରି ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ଲକ୍ଷେ ଟଙ୍କା ପୁରସ୍କାର ମିଳିବା ନେଇ ଘୋଷଣା କରିଛି ମହାରାଷ୍ଟ୍ର ପୋଲିସ ।
ଘଟଣା ମୁତାବିକ ପୁଣେର ଏକ ପୋଲିସ ଷ୍ଟେସନରୁ ମାତ୍ର ୧୦୦ ମିଟର ଦୂରରେ ଥିବା ସ୍ବରଗେଟ ବସଷ୍ଟାଣ୍ଡରେ ଏହି ଘଟଣା ଘଟିଥିଲା । ପାର୍କିଂ କରାଯାଇଥିବା ଏକ ବସରେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିଲା। ଗତ ମଙ୍ଗଳବାର ଭୋର ୬ଟାରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା।
ମହିଳା ଜଣକ ସତାରା ଜିଲ୍ଲାକୁ ଯିବା ଲାଗି ବସକୁ ଅପେକ୍ଷା କରିଥିବାବେଳେ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିଲା। ଦତ୍ତାତ୍ରେୟ ରାମଦାସ ଗାଡେ ନାମକ ଜଣେ ଯୁବକ ଦୁର୍ଷ୍କମ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ପୂର୍ବରୁ ମଧ୍ୟ ତାଙ୍କ ନାଁରେ ଚୋରି, ଡକାୟତି, ଚେନ ଲୁଟିବା ଆଦି ଅନେକ ଅପରାଧିକ ରେକର୍ଡ ଥିବା ପୋଲିସ ସୂଚନା ଦେଇଛି । ୨୦୧୯ରେ ସେ ଜାମିନରେ ଆସିଥିଲା। ତାକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଏବେ ପୋଲିସ ରେଡ କରିଛି। ଏହା ସହ କ୍ରାଇମବ୍ରାଞ୍ଚର ୮ ସଦସ୍ୟଙ୍କ ସହ ଏକ ୧୩ ଜଣିଆ ଟିମ ଗଠନ କରାଯାଇଛି। ଅଭିଯୁକ୍ତ ମାସ୍କ ପିନ୍ଧିଥିବାରୁ ତାକୁ ବର୍ତ୍ତମାନ ଚିହ୍ନିବା କଷ୍ଟକର ହୋଇଛି ବୋଲି କହିଛନ୍ତି ପୁଣେ ଡିସିପି । ଏଥିପାଇଁ ଅଭିଯୁକ୍ତଙ୍କୁ ଚିହ୍ନାଇବା ପାଇଁ ଫଟୋ ଜାରି କରିବା ସହ ତାଙ୍କ ସମ୍ପର୍କରେ ସୂଚନା ଦେଲେ ଲକ୍ଷେ ଟଙ୍କା ପୁରସ୍କାର ମିଳିବା ନେଇ ଘୋଷଣା କରାଯାଇଛି ।