ମଙ୍ଗଳବାର ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାର ଆସିଛି ରାୟ । ପରୀ ହତ୍ୟା ଘଟଣାର ଶୁଣାଣୀ କରି ଦୋଷୀ ସରୋଜ ସେଠୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ନୟାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ।
ସୂଚନା ଯୋଗ୍ୟ ୨୦୨୦ ଜୁଲାଇ ୧୪ ତାରିଖରେ ନୟାଗଡ଼ ନିକଟ ଯଦୁପୁର ଗାଁରେ ୫ ବର୍ଷର ଶିଶୁକନ୍ୟା ପରୀ ଗାଁ ଦାଣ୍ଡରେ ଖେଳୁଥିଲା ବେଳେ ନିଖୋଜ ହୋଇଯାଇଥିଲା । ନିଖୋଜର ୧୦ ଦିନ ପରେ ପରୀର ଶବ ଉଦ୍ଧାର ହୋଇଥିଲା । ପରୀ ଘର ନିକଟରୁ ଏକ ଅଖା ବସ୍ତାରୁ ଦେହାବଶେଷ ଓ ହାଡ଼ ଉଦ୍ଧାର କରାଯାଇଥିଲା । କୁନି ନାବାଳିକାର ହତ୍ୟା ତଥା ଦୁଷ୍କର୍ମ ମାମଲା ସାରା ରାଜ୍ୟ ସମେତ ରାଜ୍ୟ ରାଜନୀତିରେ ବିରାଟ ଝଡ଼ ସୃଷ୍ଟି କରିଥିଲା । ପରୀର ପରିବାର ଲୋକ ଏହାକୁ ପିଲାଚୋରି ଅଭିଯୋଗ କରିଥିଲେ | ଗାଁର ବାବୁଲି ନାୟକ ହତ୍ୟା କରି ତା'ର କିଡ୍ନି କାଢ଼ି ନେଇଛି ବୋଲି ପରୀର ପରିବାର କହିଥିଲେ ଯେଉଁ ଘଟଣାରେ ସରକାରୀ ଦଳର ଜଣେ ମନ୍ତ୍ରୀ ନାଁ ମଧ୍ୟ ସମ୍ପୃକ୍ତ ଥିବା ମଧ୍ୟ ଅଭିଯୋଗ ହୋଇଥିଲା । ବିରୋଧୀଙ୍କ ପ୍ରଶ୍ନ ଘେରରେ ହୋଇଯାଇଥିଲେ ରାଜ୍ୟ ସରକାର । ବାବୁଲି ପ୍ରଭାବଶାଳୀ ନେତାଙ୍କ କର୍ମୀ ହୋଇଥିବାରୁ ପୁଲିସ ହାତମାରି ନଥିଲା ବୋଲି ବିରୋଧୀ ଦଳ ଅଭିଯୋଗ କରିଥିଲେ। ପରୀ ହତ୍ୟାକାରୀକୁ ଧରିବାକୁ ବିଭିନ୍ନ ରାଜନୈତିକ ଦଳ ଯଦୁପୁର ଗାଁରେ ଡେରା ପକାଇଥିଲେ । ଏହାପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ଏହି ହତ୍ୟା ଘଟଣାର ତଦନ୍ତ କରିଥିଲା ରାଜ୍ୟ କ୍ରାଇମବ୍ରାଞ୍ଚର ଏସଆଇଟି । ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ତଦନ୍ତ ଆରମ୍ଭ ହୋଇଥିଲା । ପରୀ ହତ୍ୟାକାରୀକୁ ଧରିବା ପାଇଁ ଯଦୁପୁର ଗାଁରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ । ଗାଁରେ ପ୍ରତି ଘରେ ପଚରାଉଚୁରା କରି ଶେଷରେ ସେହି ଗାଁର ନାବାଳକ ସରୋଜ ସେଠୀକୁ ଉଠେଇ ଆଣିଲା କ୍ରାଇମବ୍ରାଞ୍ଚ । ନୟାଗଡ଼ ସର୍କିଟ ହାଉସରେ ପଚରାଉଚୁରା କରିଥିଲେ । ଅଭିଯୁକ୍ତର ବୟସ ସେହି ସମୟରେ ୧୭ ବର୍ଷ ୬ ମାସ ହୋଇଥିଲେ ମଧ୍ୟ ଏସ୍ଆଇଟି ୧୮ବର୍ଷ ଦର୍ଶାଇ କୋର୍ଟରେ ହାଜର କରିଥିଲା । ଏହାପରେ ଜିଲ୍ଲା କୋର୍ଟ ତାକୁ ନାବାଳକ ଦର୍ଶାଇବା ପରେ ପୁଲିସ ତାକୁ ରିମାଣ୍ଡରେ ନେଇଥିଲା। ଗିରଫ କରିବା ସମୟରେ ୨ଟି ଗାମୁଛା, ଲେଗିନ୍ସ ଓ ୩ଟି ନଡ଼ିଆ ବାହୁଙ୍ଗା, ଜିଆଇ ତାର, ବଡ଼ ଭଉଣୀର ମୋବାଇଲ୍ ଫୋନ୍ ଜବତ ହୋଇଥିଲା ପରେ ତାକୁ କୋର୍ଟ ଚାଲାଣ କରିଥିଲା ।
ଏସ୍ଆଇଟି ପୂରା ଘଟଣାର ତଦନ୍ତ କରି ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ୨୦୨୦ ଡିସେମ୍ବର ୧୫ , ଡିସେମ୍ବର ୨୩ ଓ ୨୦୨୧ ଜାନୁଆରି ୧୧ରେ ଭିନ୍ନ ଭିନ୍ନ ସମୟରେ ଦାଖଲ କରିଥିଲା । ୨୦୨୧ ଜାନୁଆରି ୧୨ରେ ହାଇକୋର୍ଟ ଏସ୍ଆଇଟିର ତଦନ୍ତ ରିପୋର୍ଟକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ। ଏହି ମାମଲା କୋର୍ଟରେ ଶୁଣାଣି ସମୟରେ ୩୧ ଜଣ ସାକ୍ଷୀଙ୍କ ପକ୍ଷ ରଖାଯାଇଥିଲା। ସେମାନଙ୍କ ବୟାନ ରେକର୍ଡ କରାଯାଇଥିଲା । ୪୮୦ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ ହୋଇଥିଲା । ୧୩୫ଟି ଦସ୍ତାବିଜ ପରୀକ୍ଷା କରାଯିବା ସହିତ ୧୮ଟି ବିଭିନ୍ନ ପ୍ରକାର ପଦାର୍ଥ କୋର୍ଟରେ ଦାଖଲ କରାଯାଇଥିଲା । ଯେଉଁ ସାମଗ୍ରୀଗୁଡ଼ିକ ଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିଲା । ତେବେ ସାକ୍ଷୀ ପ୍ରମାଣ ଓ ତଥ୍ୟ ଆଧାରରେ କୋର୍ଟ ୨୦ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ରାୟରେ ଧାରା ୩୦୨(ହତ୍ୟା) ପାଇଁ ୨୦ ବର୍ଷ ଦଣ୍ଡାଦେଶ, ୩୬୩(ଅପହରଣ) ଓ ୨୦୧( ପ୍ରମାଣ ନଷ୍ଟ)ରେ ପ୍ରତ୍ୟେକ ଦଫାରେ ୩ ବର୍ଷ ଲେଖାଏ ଦଣ୍ଡାଦେଶ ହୋଇଛି । ପ୍ରତ୍ୟେକ ମାମଲାରେ ୧ ହଜାର ଟଙ୍କା ଲେଖାଏ ଜରିମାନା ହୋଇଛି । ଯଦି ଜରିମାନା ପ୍ରଦାନ ନକରନ୍ତି ତେବେ ଅତିରିକ୍ତ ୬ ମାସ ଦଣ୍ଡାଦେଶ ପ୍ରଦାନ କରାଯାଇଥିବା କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଅଭିଯୁକ୍ତ ଯେହେତୁ ନାବାଳକ ଅଛି, ତେଣୁ ତାକୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇପାରିବ ନାହିଁ ।
ଯେଉଁ ଘଟଣା ଦିନେ ରାଜ୍ୟ ସରକାରଙ୍କୁ କୋର୍ଟକୁ ଟାଣି ଆଣିଥିଲା ସେହି ଘଟଣାକୁ ନେଇ ପ୍ରକାଶ ପାଇଛି ରାୟ ପ୍ରକାଶ ପରେ ହେଲେ ଅସନ୍ତୁଷ୍ଟ ଅଛନ୍ତି ପରୀର ବାପା-ମାଆ । ଦୋଷୀକୁ ଖସେଇବାକୁ ଯାଇ ନିର୍ଦ୍ଦେଷକୁ ବଳି ପକାଯାଇଛି । ପ୍ରକୃତ ଦୋଷୀ ଧରା ନ ପଡ଼ିବା ପର୍ଯ୍ୟନ୍ତ ପରୀର ଆତ୍ମା ଶାନ୍ତି ପାଇବନାହିଁ । ଗାଁ ର ଆଉ ଜଣକା ନା ନେଇ ପରୀର ବାପା କହିଛନ୍ତି ପରୀକୁ ହତ୍ୟା କରି ତା'ର କିଡ୍ନି କାଢ଼ି ନିଆଯାଇଛି । ଜଣେ ନିରୀହ ପିଲାକୁ ୨୦ ବର୍ଷ ସଜ୍ଜା ଶୁଣାଇବା ଘଟଣାକୁ ପରୀର ବାପା ଅଶୋକ ସାହୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏସବୁ ଉପରବାଲା ଦେଖୁଛି । ସମୟ ଆସିବ ସତ ଘଟଣା ନିଶ୍ଚୟ ପଦାକୁ ଆସିବ ।
ଅଧିକ ପଢନ୍ତୁ :- ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହେଲେ ଅଧ୍ୟାପକ