ଉଦୟପୁର, ଜୁନ୍ ୨୯ (ଖବର ଓଡ଼ିଶା): ରାଜସ୍ଥାନର ଉଦୟପୁରରେ ଦିବାଲୋକରେ ହୋଇଥିବା ହତ୍ୟା ପରେ ରାଜ୍ୟରେ ୧୪୪ ଧାରା ଲାଗୁ କରିଦିଆଯାଇଛି । ଯୁବକଙ୍କ ନିର୍ମମ ହତ୍ୟା କରିଥିବା ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସୁରକ୍ଷା ପାଇଁ ଉଦୟପୁର, ଦୌସା ଓ ଆଜମେରରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି ।
ଉଦୟପୁରର ଅନେକ ଅଞ୍ଚଳାରେ କର୍ଫ୍ୟୁ ଲାଗୁ କରିଦିଆଯାଇଛି । ପୋଲିସ-ପ୍ରଶାସନ ଠାରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଯାଏଁ ଲୋକଙ୍କୁ ଶାନ୍ତି ଜାରି ରଖିବାକୁ ଅପିଲ କରିଛନ୍ତି । ଏହି ହତ୍ୟାକାଣ୍ଡ ପରେ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ-ପ୍ରଦର୍ଶନ କରାଯାଇଛି । ଘଟଣା ପରେ ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି । ଏଥିରେ ଏସଓଜି ଏଡିଜି ଆଶୋକ ରାଠୋର, ଏଟିଏସ ଆଇଜି ପ୍ରଫୁଲ୍ଲ କୁମାର ଏବଂ ଜଣେ ଏସ୍ପି ଓ ଅତିରିକ୍ତ ଏସ୍ପି ସାମିଲ ଅଛନ୍ତି ।
ପୋଲିସ କହିବା ଅନୁସାରେ ଧାନମଣ୍ଡି ଥାନା ଅନ୍ତର୍ଗତ ଟେଲର କହ୍ନେୟାଲାଲଙ୍କୁ ଦିବାଲୋକରେ ତଣ୍ଟିକାଟି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଅଭିଯୁକ୍ତ ରିୟାଜ ମହମ୍ମଦ ଓ ଗୋସ ମହମ୍ମଦଙ୍କୁ ପୋଲିସ ଗିରଫ କରିଛି । ଉଭୟ ଅଭିଯୁକ୍ତଙ୍କୁ ରାଜସମନ୍ଦ ଜିଲ୍ଲାୀର ଭୀମା ଅଞ୍ଚଳରୁ ଗିରଫ କରାଯାଇଛି । ମୃତକଙ୍କ ପରିବାରକୁ ସରକାର ୩୧ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛି । ଏଥି ସହିତ ମୃତକଙ୍କ ପରିବାରର ୨ ଜଣ ସଦସ୍ୟଙ୍କୁ ଚାକିରି ଦେବା ପାଇଁ ମଧ୍ୟ ଘୋଷଣା ହୋଇଛି । ଧାନମଣ୍ଡି ଥାନାର ଏଏସ୍ଆଇ ଭୱରଲାଲ ଅଭିଯୁକ୍ତମାନଙ୍କ ସହିତ ମାମଲାର ରଫାଦଫା କରିଥିବା ପାଇଁ ନିଲମ୍ବିତ ହୋଇଛନ୍ତି ।