ଖବର ଓଡିଶା : 24/05/2023
ଟୋଲ ଗେଟରେ ପାରି ହେବା ପାଇଁ ଅର୍ଥ ରାଶିକୁ ନେଇ ମୁଣ୍ଡଳୀ ଟୋଲ ଗେଟର କର୍ମଚାରୀ ଓ ଛତିଶଗଡ ପର୍ଯ୍ୟଟକଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା ଦେଖିବାକୁ ମିଳିଛି । ଏଥିରେ ବସରେ ଥିବା ୧୧ଜଣ ଟୁରିଷ୍ଟ ଓ ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜଣେ ଗେଟ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି l ସେପଟେ ଅନ୍ୟାଦେଶ ଯାଏ ମୁଣ୍ଡଳି ଟୋଲ ଗେଟକୁ ବନ୍ଦ ରଖିଛି ଆଠଗଡ ପ୍ରଶାସନ l
ସୂଚନା ଅନୁସାରେ, ମୁଣ୍ଡଳୀ ଗେଟରେ ଟୋଲ ଗେଟ କର୍ମଚାରୀ ଓ ଛତିଶଗଡର ଟୁରିଷ୍ଟ ବସ ଯାତ୍ରୀଙ୍କ ମଧ୍ୟରେ ଗତକାଲି ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା । ଟୋଲ ଗେଟରେ ପାରି ହେବା ପାଇଁ ଅର୍ଥ ରାଶିକୁ ନେଇ ଦୁଇ ପକ୍ଷ ଝଗଡା ଓ ମାରପିଟ୍ ହୋଇଥିଲେ । ଛତିଶଗଡରୁ ୨ଟି ବସରେ ଯାତ୍ରୀମାନେ ଓଡିଶା ଆସି ବିଭିନ୍ନ ସ୍ଥାନ ବୁଲୁଥିବାବେଳେ ଗେଟରେ ପାରିହେବା ପାଇଁ ଦିଆଯାଉଥିବା ଟଙ୍କାକୁ ନେଇ ଝଗଡା ହୋଇଥିଲା । ଏଥିରେ ବସରେ ଥିବା ୧୧ ଯାତ୍ରୀ ଏବଂ ଗେଟର ୩ଜଣ କର୍ମଚାରୀ ଆହତ ହୋଇଥିଲେ । ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ପୁଲିସ ଏହି ଘଟଣାରେ ୪ଜଣ ଟୋଲ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସଂର୍ଘଷରେ ୨ଟି ବସ୍ର ସମ୍ମୁଖ ଅଂଶ ଓ କାଚ ଭାଙ୍ଗି ଯାଇଥିଲା। ଗତକାଲି ରାତିରୁ ଛତିଶଗଡର ଟୁରିଷ୍ଟମାନଙ୍କୁ ଆଠଗଡ଼ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଦିଆଯିବା ସହ ଆଠଗଡ଼ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ରହିବାର ସମସ୍ତ ବନ୍ଦୋବସ୍ତ କରାଯାଇଛି। ସେପଟେ ଅନ୍ୟାଦେଶ ଯାଏ ମୁଣ୍ଡଳି ଟୋଲ ଗେଟକୁ ବନ୍ଦ ରଖିଛି ଆଠଗଡ ପ୍ରଶାସନ l ଓଡ଼ିଶା ବ୍ରିଜ୍ ଓ ନିର୍ମାଣ ନିଗମ ସହ ବୈଠକ ପରେ ଟୋଲ ଗେଟ କେବେ ଖୋଲିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କଚୁମାର ସ୍ୱାଇଁ l