ତ୍ରିପୁରା:ମାନବିକତାର ସବୁ ସୀମାକୁ ଲଂଘିଗଲେ। ନିଜ ମା'କୁ କ୍ରୋଧର ଅନ୍ଧ ହୋଇ ଗଛରେ ବାନ୍ଧିଦେଲେ ଓ ଜାଳିପୋଡ଼ି ମାରିଦେଲେ। ନ' ମାସର ଗର୍ଭରେ ଧାରଣ କରିଥିବା ମା'ର ସବୁ କଷ୍ଟ ଭୁଲି ଏହି ନାରକୀୟ କାଣ୍ଡ ଭିଆଇଲେ। ଏପରି ଘଟଣା ଘଟିଯାଇଛି ତ୍ରିପୁରା ରାଜ୍ୟରେ। ପୋଲିସ ଖବର ପାଇ ତୁରନ୍ତ ଅଭିଯୁକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ ପଶ୍ଚିମ ତ୍ରିପୁରାର ଚମ୍ପକନଗର ପୁଲିସ ଷ୍ଟେସନ ପରିସରର ଖାମବାଡି ଅଞ୍ଚଳରେ ଜଣେ ବୃଦ୍ଧ ମହିଳା ନିଜର ଦୁଇ ପୁଅ ସହ ରହୁଥିଲେ। ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପ୍ରାୟ ଦେଢ଼ ବର୍ଷ ତଳେ ହୋଇଥିଲା। ତାଙ୍କର ତିନୋଟି ପୁଅ ଥିଲେ। ତୃତୀୟ ପୁଅ ଜଣକ ଅଗରତାଲାରେ ରହୁଛନ୍ତି। ତେବେ ଶନିବାର ରାତିରେ କୌଣସି କଥାକୁ ନେଇ ଦୁଇ ପୁଅ ଓ ମା'ଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଦୁଇ ପୁଅ ମିଶି ବୃଦ୍ଧ ମା'ଙ୍କୁ ନୃଶଂସ ଭାବେ ମାଡ଼ ମାରିଥିଲେ। ଏହାପରେ ତାଙ୍କୁ ଏକ ଗଛରେ ବାନ୍ଧି ଜିଅନ୍ତା ଜାଳି ଦେଇଛନ୍ତି। ଫଳରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି।
ଏହି ଘଟଣା ସଂକ୍ରାନ୍ତରେ ପୁଲିସକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଜିରାନିଆର ସବ-ଡିଭିଜନାଲ ପୁଲିସ ଅଧିକାରୀ କମଲ କୃଷ୍ଣ କୋଲୋଇ କହିଛନ୍ତି, ଜଣେ ମହିଳାକୁ ଜୀବନ୍ତ ଜାଳି ଦେଇଥିବାର ସୂଚନା ପାଇବା ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗଛରେ ବନ୍ଧା ହୋଇଥିବା ପୋଡା ମୃତଦେହକୁ ଜବତ କରିଥିବାବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।ଏହି ଘଟଣା ପଛରେ ପାରିବାରିକ ବିବାଦ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଦୁଇ ପୁଅକୁ ପୋଲିସ ଗିରଫ କରିଛି। ଉଭୟଙ୍କୁ ଆଜି କୋର୍ଟରେ ହାଜର କରାଯିବ। ଅଧିକ ପଚରାଉଚରା ପାଇଁ ତାଙ୍କୁ ପୋଲିସ ଜେଲକୁ ପଠାଇବାକୁ ଅନୁରୋଧ କରାଯିବ।