କୋଲକାତା: ପଶ୍ଚିମବଙ୍ଗରେ ଭିଡ଼ ହିଂସା ଉଗ୍ରରୂପ ନେଉଛି। ହୁଗୁଳି ଜିଲ୍ଲାରେ ପୁଣି ଏକ ଭିଡ଼ ହିଂସା ଦେଖିବାକୁ ମିଳିଛି। ଜଣେ ଲୋକଙ୍କୁ ଏଠାରେ ପିଟିପିଟି ହତ୍ୟା କରାଯାଇଛି। ସବୁଠାରୁ ବଡ଼ କଥା ହେଲା ଗୋଟିଏ ସପ୍ତାହରୁ କମଦିନ ଭିତରେ ଚତୁର୍ଥ ଘଟଣା ଦେଖିବାକୁ ମିଳିଛି। ବାରମ୍ବାର ଏଭଳି ଘଟଣାକୁ ନେଇ ରାଜ୍ୟର ଆଇନ୍କାନୁନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
କୋଲକାତାରେ ଏଭଳି ଏକ ମାମଲା ଗତ ୨୮ ତାରିଖରେ ଘଟିଥିଲା। ସେହିପରି ଜୁନ୍ ୨୯ ଓ ୩୦ ତାରିଖରେ ମଧ୍ୟ ସମାନ ପ୍ରକାରର ଘଟଣା ଘଟିଥିଲା। ଜୁନ ମାସ ଶେଷ ୨ ଦିନରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ପୁଲିସ କହିଛି, ପୀଡିତଙ୍କ ପରିଚୟ ହୁଗୁଳି ଜିଲ୍ଲାର ତାରକେଶ୍ବର ଅଞ୍ଚଳର ମାଲପାହାଡ଼ପୁର ଗ୍ରାମପଞ୍ଚାୟତ ଅଧୀନ ବିଶ୍ବଜିତ ମନ୍ନା। ହୁଗୁଳି ଥାନା ପୁଲିସ (ଗ୍ରାମାଞ୍ଚଳ)ର ଜଣେ ବରିଷ୍ଠ ଅଧିକାରୀ ଏସଂପର୍କରେ କହିଛନ୍ତି, ଏହି ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
ପୁଲିସ ଅଧିକାରୀଙ୍କ କହିବା ଅନୁସାରେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ରବିବାର ରାତିରେ ମନ୍ନା ନାମକ ଜଣେ ବ୍ୟକ୍ତି ନିଜ ଘରେ ଶୋଇଥିଲେ। ସେହି ସମୟରେ ପରିବାର ସହିତ ପରିଚିତ ଜଣେ ଲୋକ ତାଙ୍କୁ ଭେଟିବାକୁ ଡାକିଥିଲେ। ଅସଲ କଥା ହେଲା ଯେଉଁ ଲୋକ ଡାକିଥିଲେ, ତାଙ୍କ ଠାରୁ ମନ୍ନା ୫୦,୦୦୦ ଟଙ୍କା ଉଧାର ନେଇଥିଲେ। କିନ୍ତୁ ସେ ଉଧାରି ଟଙ୍କା ବହୁଦିନ ହେଲା ଫେରସ୍ତ କରୁ ନଥିଲେ।
ଅଭିଯୁକ୍ତ ଡାକିବା ଦ୍ବାରା ମନ୍ନା ତାଙ୍କ ଘରକୁ ଯାଇଥିଲେ। ଏହି ସମୟରେ ମନ୍ନାଙ୍କୁ ବାନ୍ଧି ଦିଆଯାଇ ନିସ୍ତୁକ ମାଡ଼ ମରାଯାଇଥିଲା। ଏହା ପରେ ପୀଡିତଙ୍କ ମା’ ଓ ବୋହୂ କୌଣସି ପ୍ରକାରରେ ସେଠାରେ ପହଞ୍ଚି ମନ୍ନାଙ୍କୁ ଉଦ୍ଧାର କରିଥିଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମନ୍ନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଏନେଇ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।