ନୂଆଦିଲ୍ଲୀ: ମାଳଦୀପରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ଉପରେ କଥିତ ଭାବେ କଳା ଯାଦୁ କରିବା ଅଭିଯୋଗରେ ମାଳଦୀପ ପୁଲିସ ଦେଶର ସରକାରଙ୍କ ଜଣେ ମନ୍ତ୍ରୀଙ୍କ ସମେତ ମୋଟ୍ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୁଲିସ ମୁଇଜ୍ଜୁଙ୍କ ନିକଟକୁ ଆସିବା ଲାଗି ଯାଦୁ ଟୋନା କରିବା ଅଭିଯୋଗରେ ପରିବେଶ ମନ୍ତ୍ରାଳୟର ରାଜ୍ୟ ମନ୍ତ୍ରୀ ଫତିମା ଶମନାଜଙ୍କ ସହିତ ୨ ଜଣ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୁଲିସ ଏକ ବୟାନରେ କହିଛି, ମନ୍ତ୍ରୀଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ କୋର୍ଟରେ ହାଜର କରାଯାଇଛି। ଏହା ପରେ ସେଠାରୁ ପୁଲିସ ୭ଦିନିଆ ରିମାଣ୍ଡରେ ନେଇଛି। ଏହି ରିମାଣ୍ଡ କାଳରେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯିବ। ସ୍ଥାନୀୟ ଏକ ଖବରକାଜଜ ରିପୋର୍ଟ ଅନୁସାରେ ମନ୍ତ୍ରୀ ଶମନାଜଙ୍କ ଭାଇ ଓ ଅନ୍ୟ ଏକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଶମନାଜ ହେଉଛନ୍ତି ରାଷ୍ଟ୍ରପତି କାର୍ଯ୍ୟାଳୟର ମନ୍ତ୍ରୀ ଆଦାମ ରମୀଜଙ୍କ ପୂର୍ବତନ ପତ୍ନୀ। ଶମନାଜଙ୍କୁ ଗିରଫ ପୂର୍ବରୁ ତାଙ୍କର ଘର ତଦନ୍ତ କରାଯାଇଛି। ପୁଲିସ ଘର ଠାରୁ କିଛି ସାମଗ୍ରୀ ମଧ୍ୟ ଜବତ କରିଛି।
ପୁଲିସ ମୁଖପାତ୍ର ଅହମଦ ଶିଫାନ କହିଛନ୍ତି ମନ୍ତ୍ରୀ ଶମନାଜଙ୍କ ସହିତ ଅନ୍ୟ ୨ ଜଣଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଛି। ପୁଲିସ ଶମନାଜଙ୍କ ଘରେ ଚଢ଼ାଉ କରିଛି ଏବଂ କିଛି ଜିନିଷ ଜବତ କରିଛି।