୪ ବର୍ଷ ତଳର କଲରାପତରିଆ ବାଘ ଶିକାର ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସିଛି । ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (ଡବ୍ଲୁସିସିବି) ଓ ରାଜ୍ୟ ବନ ବିଭାଗ ପକ୍ଷରୁ ୯ ଦିନ ଧରି ଜାରି ରହିଥିବା ମିଳିତ ଅଭିଯାନରେ ଏହି ସଫଳତା ମିଳିଛି। ଘଟଣାରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ ଗତ ଫେବୃଆରୀ ୫ ତାରିଖରେ କଟକରୁ ଗୋଟିଏ କଲରାପତରିଆ ବାଘର ଛାଲ ଜବତ ହୋଇଥିଲା। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯିବା ସହିତ ତଦନ୍ତ ଜାରି ରଖିଥିଲା ବନ ବିଭାଗ । ମାମଲାର ଜଟିଳତାକୁ ନେଇ ବନ ବିଭାଗ ଓ ଡବ୍ଲ୍ୟୁସିସିବି ପକ୍ଷରୁ ମିଳିତ ଟାସ୍କଫୋର୍ସ ଗଠନ କରାଯାଇ ୯ ଦିନ ଧରି ରାଜ୍ୟର ୩ ଜିଲ୍ଲା ଯଥା ଗଞ୍ଜାମ, କେନ୍ଦ୍ରାପଡ଼ା ଏବଂ ଗଜପତିରେ ଜୋରଦାର ଚଢ଼ଉ କରାଯାଇଥିଲା । କ୍ରମାଗତ ଅନୁସନ୍ଧାନ ଯୋଗୁଁ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ପାଞ୍ଚ ଜଣଙ୍କୁ ଅଧିକାରୀମାନେ ଧରିବାରେ ସଫଳ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ନାମ କେନ୍ଦ୍ରାପଡ଼ାର ରବି ନାରାୟଣ ବାରିକ, କଟକର ପ୍ରମୋଦ ଜେନା, ଗଞ୍ଜାମର ଜିତେନ୍ଦ୍ର ପ୍ରଧାନ, ଗୌତମ ମଲ୍ଲିକ, ବୃନ୍ଦାବନ ପାଇକ, ଗୁରୁନାଥ ପାଇକ, ଗଜପତିର ତୱାତିଆ ପାଇକ ରହିଛନ୍ତି । ଏକ ବାଇକ କ୍ଲଚର ତାର ବ୍ୟବହାର କରି ଅପରାଧୀମାନେ ୨୦୧୯ରେ ଏକ ଚିତା ବାଘକୁ ହତ୍ୟା କରିଥିଲେ । ଏହା ସହିତ ଅନ୍ୟ ଜଣେ ଅଭିଯୁକ୍ତଙ୍କଠାରୁ ଚିତାବାଘର ଜବତ ହୋଇଥିବା ଦାନ୍ତ ତଦନ୍ତକୁ କିଛିଟା ସରଳ କରିଥିଲା । ବାଇକ କ୍ଲଚ ତାରକୁ ଜବତ କରାଯିବା ପରେ ଏହାକୁ ଆଧାର କରି ତଦନ୍ତ ଆରମ୍ଭ କରାଯାଇଥିଲା ଓ ସଫଳତା ମିଳିଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଅଧିକ ପଢନ୍ତୁ : ଦୁର୍ଷ୍କମ ସହିତ ହତ୍ୟାର ଅଭିଯୋଗ...