ନୃଶଂସ ସ୍ୱାମୀର ଅମାନୁଷିକ କାର୍ଯ୍ୟ ଅଫିସ୍ରେ ପଶି ସ୍ତ୍ରୀଙ୍କୁ ହାଣିଲେ ସ୍ୱାମୀ । ଆଜି ଅପରାହ୍ନରେ ଏପରି ଏକ ଅଭାବନୀୟ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି । କମିଶନରେଟ୍ ପୁଲିସ୍ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିଥିବା ବେଳେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ବରମୁଣ୍ଡା ବସ୍ଷ୍ଟାଣ୍ଡ ପଛ ପାର୍ଶ୍ୱରେ ଥିବା କୃର୍ତ୍ତିବନ୍ଧୁ ଆପାର୍ଟମେଣ୍ଟ୍। ସେହି ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ଗୋଟିଏ ବିଲଡର ସଂସ୍ଥାର ଅଫିସ୍ ରହିଛି । ସବୁଦିନ ପରି ଆଜି ମଧ୍ୟ ମଧୁସ୍ମିତା ଦାସ ଅଫିସ୍ ଆସିଥିଲେ । ଅପରାହ୍ନ ପ୍ରାୟ ୧ଟା ବେଳେ କର୍ମଚାରୀମାନେ ଅଫିସ୍ କାମରେ ବ୍ୟସ୍ତ ଥିଲେ ଓ ସେ ମଧ୍ୟ କାମରେ ବ୍ୟସ୍ତ ଥିଲେ। ଠିକ୍ ସେହି ସମୟରେ ମଧୁସ୍ମିତାଙ୍କ ସ୍ୱାମୀ ଅଫିସ୍ରେ ପଶି ପତ୍ନୀ ମଧୁସ୍ମିତାଙ୍କୁ ଖୋଜିଥିଲେ ଏହାପରେ ପତ୍ନୀଙ୍କୁ ସମ୍ମୁଖରେଦେଖି ପାଖରେ ରଖିଥିବା ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏହାପରେ ଜୀବନ ବିକଳରେ ସାରା ମଧୁସ୍ମିତା ଅଫିସ୍ ଦୌଡ଼ୁଥିଲେ । ମଧୁସ୍ମିତା ସ୍ୱାମୀଙ୍କ ଏହି ରୂପ ଦେଖି ଅନ୍ୟ କର୍ମଚାରୀମାନେ ଭୟଭୀତ ହୋଇଯାଇଥିଲେ ପରେ ବହୁ କଷ୍ଟରେ ତାଙ୍କୁ କାବୁ କରିଥିଲେ । ଏନେଇ ଭରତପୁର ଥାନାକୁ ଖବର ଦିଆଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି ।
ସେପଟେ ଗୁରୁତର ଆହତ ମଧୁସ୍ମିତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି । କମିଶନରେଟ୍ ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି । ତେବେ ଆକ୍ରମଣର କାରଣ ଏଯାଏଁ ଜଣାପଡ଼ି ନାହିଁ ।
ଅଧିକ ପଢନ୍ତୁ :- ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ