ଖବର ଓଡିଶା : 18/03/2023
ପୁରୀରେ ହଣାହଣି। ବଡ଼ଦାଣ୍ଡ ମାର୍କେଟ ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଉଭୟ ଗୋଷ୍ଠୀର ୩ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ଭିତରୁ ଦୁଇଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଣେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଆକ୍ରମଣ ହୋଇଥିବା କୁହାଯାଉଛି । ୧୦ରୁ ୧୫ ଜଣ ସନ୍ଦିଗ୍ଧ ଯୁବକ ବିଭିନ୍ନ ମାରଣାସ୍ତ୍ର ଓ କାଚ ବୋତଲରେ ଆକ୍ରମଣ କରିଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି । ଏହି ମାମଲାରେ ପୁଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ଗତକାଲି ଖଡ଼ିପଦା ମେଲଣରେ ଦୁଇ ଗୋଷ୍ଠୀ ଜୁଆ ଖେଳୁଥିଲେ। ଜୁଆ ଖେଳ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଆଜି ସକାଳ ୬ଟା ବେଳେ ସମୀର ଦାସ, ହୃଷିକେଶ ପଣ୍ଡା ଓ ଖଗେଶ୍ୱର ସାହୁ ମାର୍କେଟ ଛକରେ ଚା’ ପିଉଥିବା ବେଳେ ହଠାତ୍ ୧୮ ଜଣ ଯୁବକ ମୋଟର ସାଇକେଲରେ ଆସି ସେମାନଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ସେହି ତିନିଜଣ ଗୁରୁତର ହୋଇଥିଲେ। ୩ ଗୁରୁତରଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେମାନଙ୍କ ଭିତରୁ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।