କେନିଆରେ ଚାକିରି ସହ ମୋଟା ଅଙ୍କର ଦରମା ମିଳିବ । ଏଭଳି ଅଫରକୁ କିଏ ବା କାହିଁକି ହାତ ଛଡା କରିବ କିନ୍ତୁ ଏଭଳି ଲୋଭନୀୟ ଅଫରର ବଶବର୍ତ୍ତୀ ହୋଇ କେତେକ ଯୁବକ ହୋଇଛନ୍ତି ଠକାମିର ଶିକାର । ଏଭଳି ଏକ ଠକେଇ ମାମଲା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଗୋସାଇଁ ନୂଆଗାଁ ଆଞ୍ଚଳରୁ ।
ସୂଚନା ଅନୁସାରେ, କେନିଆରେ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ୱର ପେଣ୍ଡୁରାପଲ୍ଲୀ ଅଞ୍ଚଳର ପ୍ରଭାତ ଦଳେଇ ଙ୍କ ନିକଟରୁ ମୋହନ ରେଡ୍ଡୀ ନାମକ ଜଣେ ବ୍ୟକ୍ତି ପାସପୋର୍ଟ କରିବାକୁ ୨୫ହଜାର ଟଙ୍କା ଏବଂ ଭିସା ପାଇଁ ୪୮,୫୦୦ଟଙ୍କା ନେଇଥିଲେ । କେବଳ ପ୍ରଭାତ ନୁହ ପ୍ରଭାତ ସମେତ ଅନ୍ୟ ୨୦ଜଣଙ୍କ ନିକଟରୁ ଏହି ହିସାବରେ ମୋଟ ୯ଲକ୍ଷ ୭୦ହଜାର ଟଙ୍କା ଆଦାୟ କରିଥିଲା ମୋହନ ରେଡ୍ଡୀ । କିଏ ଅନ୍ଲାଇନ୍ରେ ଟଙ୍କା ପଠାଇଥିଲା ତ ଆଉ କିଏ ନଗଦ ଟଙ୍କା ଦେଇଥିଲା । ଯେତେବେଳେ ସେମାନେ କେନିଆ ଯିବା ପାଇଁ ଟିକେଟ କରାଇଦେବାକୁ ମୋହନକୁ ଫୋନ୍ କଲେ, ସେ କାହାର ଫୋନ୍ ଉଠାଇଲା ନାହିଁ । ପ୍ରଭାତ ଅନ୍ୟ ଏକ ନମ୍ବରରୁ ତା’କୁ ଫୋନ୍ କରିବାରୁ, ପ୍ରଭାତକୁ ମୋହନ ରେଡ୍ଡୀ ଗାଳିଗୁଲଜ କରିଥିଲା । ତେଣୁ ସେ ଠକାମିର ଶିକାର ହୋଇଥିବା ନେଇ ଗୋସାଇଁ ନୂଆଗାଁ ଥାନାରେ ଏତଲା ଦେଇଥିଲେ ।
ଅଭିଯୋଗ କୁ ଭିତ୍ତିକରି ପୋଲିସ ଦଫା ୪୨୦/୨୯୪ ଆଇପିସି ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ଘଟଣାରେ ୩ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୋଳନ୍ଥରା ଥାନା କୁଠାରସିଂ ଗାଁର ସିଏଚ୍. ମୋହନ ରେଡ୍ଡୀ, ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା କାସିଗୁଡ଼ା ଥାନା ଅଞ୍ଚଳର ପି. ସିମାଞ୍ଚଳମ ଓ ଶ୍ରୀକାକୁଲମ୍ ଜିଲ୍ଲା କାସିବୁଗା ଥାନା ଅଞ୍ଚଳର ଟି.ଦିଲେଶ୍ଵର ରାଓ । ସେମାନଙ୍କ ଠାରୁ ୯୨ଟି ପାସ୍ପୋର୍ଟ, କେନିଆ ସରକାରଙ୍କ ଦ୍ୱାରା ପ୍ରାପ୍ତ ୨୦ଟି ପର୍ଯ୍ୟଟକ ଭିସା ପୁଲିସ ଜବତ କରିଛି । ଘଟଣାର ଅଧିକା ସତ୍ୟାସତ୍ୟ ନିମନ୍ତେ ପୁଲିସ ଯାଞ୍ଚ ଜାରିରଖିଚି । ଆଜି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ : ଦିନିକିଆ ସମ୍ବଲପୁର ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ