ବୌଦ୍ଧ: ଘରୋଈ କଳହକୁ କେନ୍ଦ୍ର କରି ସ୍ତ୍ରୀର ଗଳା କାଟି ହତ୍ୟା କରିଛି ସୈତାନ୍ ସ୍ୱାମୀ। ଏଭଳି ଏକ ଲୋମହର୍ଷକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଚାରଭାଟି ଗାଁରେ। ମୃତକ ହେଲେ ସେହି ଗାଁର ଝିଅ ଅଞ୍ଜଳୀ ତରିଆl ବୟସ ତାଙ୍କର (୨୨)ବର୍ଷ। ଗତ ୪ବର୍ଷ ତଳେ ଅଞ୍ଜଳୀ ଘଣ୍ଟାପଡା ଥାନା ବଡବାହାଲ ଗାଁର ସର୍ବେଶ୍ଵର ନାଏକଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବାହାଘରକୁ ଚାରି ବର୍ଷ ହୋଇଥିବାବେଳେ ତାଙ୍କର ଏକ ତିନି ବର୍ଷୀୟ ଝିଅ ରହିଛି। ବିଭିନ୍ନ ସମୟରେ କୌଣସି କାରଣକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା।ଏନେଇ ସେମାନେ ଅନେକ ଥର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛିl ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ହେବା ଫଳରେ ଝିଅ ଅଞ୍ଜଳି ନିଜ ବାପଘର ଚାରଭାଟି ଗ୍ରାମରେ ରହି ଆସୁଥିଲେ। କିନ୍ତୁ ଗତ ରବିବାର ନୂଆଁଖାଇ ଥିବାବେଳେ ସର୍ବେଶ୍ୱର ତାଙ୍କ ଶ୍ୱଶୁର ଘର ଚାରଭାଟି ଗ୍ରାମରେ ଥିଲେ। କୌଣସି କାରଣରୁ ବିଳମ୍ବିତ ରାତିରେ ପୁନର୍ବାର ଉଭୟ ପତିପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଫଳରେ କ୍ରୋଧରେ ଉତ୍ତ୍ୟକ୍ତ ସର୍ବେଶ୍ୱର ଏକ ଧରୁଆ ଅସ୍ତ୍ରରେ ସ୍ତ୍ରୀ ଅଞ୍ଜଳିର ଗଳା କାଟି ହତ୍ୟା କରି କୁଆଡେ ମୋଟରସାଇକେଲ ଧରି ଫେରାର ମାରିଥିଲେ। ଏନେଇ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଅଞ୍ଜଳିଙ୍କୁ କଣ୍ଟାମାଳ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ଅଞ୍ଜଳିକୁ ମୃତ ଘୋଷଣା କରିଥିଲେ। କଣ୍ଟାମାଳ ପୋଲିସ ଖବର ପାଇ ଶଵ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସେପଟେ ହତ୍ୟାକାରୀ ସର୍ବେଶ୍ଵର ଘଟଣା ସ୍ଥଳରୁ ଫେରାର ମାରିଛି।