ନୋଏଡା: ଦିଲ୍ଲୀ ଉପକଣ୍ଠ ଉତ୍ତର ପ୍ରଦେଶର ନୋଏଡାରେ ପୁଲିସ ୪୮ ଘଣ୍ଟା ମଧ୍ୟରେ ଏକାଧିକ ଏନ୍କାଉଣ୍ଟର କରିଛି। ନୋଏଡା ପୁଲିସ ଲଗାତାର ଏନ୍କାଉଣ୍ଟର କରି ବିଭିନ୍ନ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଭୟଭୀତ କରିଛି। ଏହାରି ମଧ୍ୟରେ ୮ ଜଣ ଅପରାଧୀଙ୍କୁ ଗିରଫ କରିଛି। ଏନ୍କାଉଣ୍ଟରର ଶିକାର ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୭ ଜଣ ଆହତ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଦିଲ୍ଲୀ ନିବାସୀ ଅଛି, ଯାହାର ନାମରେ ବିଭିନ୍ନ ଥାନାରେ ପୂର୍ବରୁ ମାମଲା ରୁଜୁ ହୋଇଛି।
ପୁଲିସ ମୁଖପାତ୍ର କହିଛନ୍ତି, ୩ଟି ଏନ୍କାଉଣ୍ଟର ମଧ୍ୟରୁ ପ୍ରଥମଟି ବୁଧବାର ଓ ଗୁରୁବାର ମଧ୍ୟରାତ୍ରି ସେକ୍ଟର-୩୯ ପୁଲିସ ଷ୍ଟେସନର ସୀମା ସେକ୍ଟର-୯୬ ଜଙ୍କସନରେ ଏକ ନିୟମିତ ଯାଞ୍ଚ ସମୟରେ ହୋଇଥିଲା। ବାଇକ ଆରୋହୀ ୩ ଜଣଙ୍କୁ ଅଟକିବା ପାଇଁ କୁହାଯାଇଥିଲା। କିନ୍ତୁ ସେମାନେ ହାଜୀପୁର ଅଣ୍ଡରପାସ ଆଡ଼କୁ ପଳାଉଥିଲେ। ପୁଲିସ ସେମାନଙ୍କ ପଛରେ ଯାଇଥିଲା। ମାତ୍ର ଅଭିଯୁକ୍ତମାନେ ସିକ୍କା ମଲ ନିକଟରେ ପୁଲିସ ଉପରକୁ ଗୁଳି କରିଥିଲେ। ପୁଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ୨ ଜଣ ଅଭିଯୁକ୍ତ ଆହତ ହୋଇଥିଲେ। ପୁଲିସ ୩ ଜଣଙ୍କ ଠାରୁ ୧ ଲକ୍ଷ ଟଙ୍କା ନଗଦ, ନମ୍ବର ବିହୀନ ବାଇକ ଓ ଗୁଳି ବାରୁଦ ଜବତ କରିଥିଲା।
ଫେଜ୍-୧ ପୁଲିସ ଷ୍ଟେସନର କର୍ମୀ ସେକ୍ଟର-୧୫ଏ ଆଡ଼କୁ ଯାଇଥିବା ରାସ୍ତାରେ ଦ୍ବିତୀୟ ଏନ୍କାଉଣ୍ଟର ହୋଇଥିଲା। ପୁଲିସର ଗୁଳିମାଡ଼ରେ ମୟୂରବିହାର ଫେଜ୍-୩ ନିବାସୀ ଋଷଭ ଦୟାଲ ଆହତ ହୋଇଥିଲା। ସେହିପରି ପୁଲିସ ଅନ୍ୟ ଏକ ଏନ୍କାଉଣ୍ଟର ମାଧ୍ୟମରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।