ରାଞ୍ଚି: ଜଣେ ସ୍କୋର୍ପିଓ ଚାଳକଙ୍କୁ ଜୀବନ୍ତ ଜଳାଇ ଦିଆଯାଇଛି । ଝାଡ଼ଖଣ୍ଡର ଜରମୁଣ୍ଡୀ ଥାନା ଅନ୍ତର୍ଗତ କୁଶମାହା ଚିକନିଆ ଓ ଚନ୍ଦନା ଗାଁ ମଝିରେ ମାଟି ରାସ୍ତାରେ ଗୁରୁବାର ଭୋର ୩ଟାରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଚାଳକ ହେଲେ ମୋହନ ଦାସ(୫୦) ।
ମୃତକ ମୋହନ ଦାସ ଚନ୍ଦନା ଗାଁର ନିବାସୀ ଥିଲେ ଏବଂ ବାସୁକୀନାଥ ନଗର ପଂଚାୟତର ସରଡିହା ଗାଁ ନିବାସୀ ବିନୋଦ ରାୟଙ୍କ ସ୍କୋର୍ପିଓ ଚଳାଉଥିଲେ । ପୁଲିସ ମୃତଦେହ ଜବତ କରିଛି । ରାଞ୍ଚିସ୍ଥିତ ରାଜ୍ୟ ଅପରାଧ ବିଧିବିଜ୍ଞାନାଗାର (ଏସ୍ଏଫ୍ଏସ୍ଏଲ)ର ଟିମ୍ ଆସିବା ପରେ ଶୁକ୍ରବାର ପୋଷ୍ଟମର୍ଟମ କରାଯିବ ।
ସକାଳୁ ସ୍କୋର୍ପିଓ ପୋଡ଼ିଥିବା ନେଇ ଖବର ମିଳିବା ପରେ ସାଂସଦ ପ୍ରତିନିଧି ଜୟପ୍ରକାଶ ମଣ୍ଡଳ ଏବଂ ପାଂଚୁ ଦାସ ଘଟଣାସ୍ଥଳରେ ପହଞ୍ଚି ଥିଲେ । ତାଙ୍କ ଠାରୁ ସୂଚନା ପାଇ ଜରମୁଣ୍ଡୀ ଏସ୍ଡିପିଓ ସନ୍ତୋଷ କୁମାର, ପୁଲିସ ଏସ୍ଆଇ ସତ୍ୟମ କୁମାର ମଧ୍ୟ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଥିଲେ । ମୃତ ମୋହନ ଦାସଙ୍କ ସ୍ତ୍ରୀ ମାଧୁରୀ ଦେବୀ ଓ ଭଉଣୀ ସରସ୍ୱତୀୟା ଦେବୀ କହିଛନ୍ତି ତାଙ୍କର କାହାରି ସହିତ ଶତ୍ରୁତା ନଥିଲା । ମାଧୁରୀ କହିଛନ୍ତି, ସେମାନ କହିଛନ୍ତି ଦୁର୍ବୃତ୍ତ ତାଙ୍କର ସ୍ୱାମୀଙ୍କ ହାତଗୋଡ଼ ବାନ୍ଧି ଗାଡ଼ିରେ ରଖିଦେଇଥିବେ ଏବଂ ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବେ । ପୁଲିସ ମାମଲା ରୁଜୁ କରିବା ସହିତ ଘଟଣାର ଅଧିକ ତଦନ୍ତ କରୁଛି ।