ଖବର ଓଡିଶା : 24/03/2023
ପୋଖରୀରେ ବିଷ ପକାଇ ମାରିଦେଲେ ମାଛ। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଋଣ ଆଣି ମାଛ ଚାଷ କରିଥିଲେ। ଭାବିଥିଲେ କିଛି ଲାଭ ହେଲେ ପରିବାର ସୁରୁଖୁରୁରେ ଚଳିବ । ମାତ୍ର ସହି ପାରିଲେନି ଦୁର୍ବୃତ୍ତ। ପୋଖରୀରେ ବିଷ ପକାଇ ମାଛ ମାରିଦେଲେ | କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅର୍ନ୍ତଗତ କୋରନ୍ଦ ପଞ୍ଚାୟତରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, କୋରନ୍ଦ ପଞ୍ଚାୟତର ମା’ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଋଣ ଆଣି ମାଛ ଚାଷ କରିଥିଲେ। ହେଲେ ଗତ ବୁଧବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ପୋଖରୀରେ ବିଷ ପକାଇ ମାଛ ମାରିଦେଇଥିବା ଅଭିଯୋଗ ହୋଇଛି। ଫଳରେ ଗତକାଲି ସକାଳୁ ସକାଳୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପୋଖରୀ ପାଖକୁ ଯାଇଥିବା ବେଳେ ବଡ଼ ବଡ଼ ମାଛସବୁ ମରିଭାସୁଥିବାର ଦେଖିବାକୁ ପାଇଥିଲେ। ବ୍ୟାଙ୍କରୁ ଋଣ ଆଣି ମାଛ ଚାଷ କରିଥିବାରୁ ଏବେ ଏହାକୁ କେମିତି ଶୁଝିବେ ସେନେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି। ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ରାଜକନିକା ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।