ବିହାର: କୋର୍ଟରେ ଶୁଣାଣୀ ସମୟରେ ଜଜଙ୍କୁ ମାଡ଼ମାରିଲେ ୨ ପୋଲିସ କର୍ମଚାରୀ
Khabar Odisha:Crime-Two-policemen-attacked-the-judge-during-the-hearing-of-the-case-in-Bihar

ପାଟଣା, ନଭେମ୍ବର ୧୯ (ଖବର ଓଡ଼ିଶା): ବିହାରର ମଧୁବନୀ ଜିଲ୍ଲାର ଏକ କୋର୍ଟରେ ୨ ଜଣ ପୋଲିସ କର୍ମୀ ଜଜ ଅବିନାଶ କୁମାରଙ୍କୁ ଆକ୍ରମଣ କରିଛନ୍ତି। ପୋଲିସ ଦ୍ବୟଙ୍କ ମାଡ଼ରେ ଜଜ ଲହୁଲୁହାଣ ହୋଇଛନ୍ତି। ଏତିକିରେ ସନ୍ତୁଷ୍ଟ ନ ହେବାରୁ ପିସ୍ତଲ ଦେଖାଇ ଗୁଳି କରିବାକୁ ଧମକ ଦେଇଛନ୍ତି। 

ମଧୁବନୀର ଝଞ୍ଝାରପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ୨ ଜଣ ପୋଲିସ କର୍ମୀ ଜିଲ୍ଲା ଜଜ ଅବିନାଶ କୁମାରଙ୍କ ଉପରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଜଜଙ୍କୁ ୨ ପୋଲିସ କର୍ମୀ ଅଭଦ୍ର ଟିପ୍ପଣୀ ଦେଇଥିବା ଜଣାଯାଇଛି। ଉଭୟ ଅଭିଯୁକ୍ତଙ୍କୁ ଜଜଙ୍କ ଉପରେ ଆକ୍ରମଣ କରିଥିବା ନେଇ ଗିରଫ ପରେ ଜେଲ ପଠାଇ ଦିଆଯାଇଛି। 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଘୋଘରଡିହା ଥାନାରେ କାର୍ଯ୍ୟରତ ଏଡିଜେ ଅବିନାଶ କୁମାରଙ୍କୁ ଏସଏଚ୍‌ଓ ଗୋପାଳ ପ୍ରସାଦ ଓ ଏସ୍‌ଆଇ ଅଭିମନ୍ୟୁ କୁମାର ଏକ ମାମଲାର ଶୁଣାଣୀ ସମୟରେ ଅଭଦ୍ର ଟିପ୍ପଣୀ ଦେଇଥିଲେ। ରିପୋର୍ଟ ଅନୁସାରେ ଉଭୟ ପୋଲିସ କର୍ମଚାରୀ ଜଜ ଅଭିମନ୍ୟୁଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏହା ପରେ ଜଣେ ଅଭିଯୁକ୍ତ ଜଜଙ୍କୁ ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିଲା।

ଏହି ଘଟଣାରେ ଜଜ ଅବିନାଶ ସୁରକ୍ଷିତ ଅଛନ୍ତି। କିନ୍ତୁ ନିଜ ଉପରେ ହୋଇଥିବା ଏହି ଆକ୍ରମଣ ନେଇ ସେ ଭୟଭୀତ ଅଛନ୍ତି। ଏହି ଘଟଣା ନେଇ ପାଟନା ହାଇକୋର୍ଟ ଅବଗତ ଥିବା ବେଳେ ଆଗାମୀ ଶୁଣାଣୀ ନଭେମ୍ବର ୨୯ରେ ହେବ। ଏହି ଘଟଣାକୁ ନେଇ ପାଟନା ହାଇକୋର୍ଟ ବିହାର ସରକାରଙ୍କ ପ୍ରମୁଖ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଗୃହ ବିଭାଗ ଓ ମଧୁବନୀ ଏସ୍‌ପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। 

 

 

  • Tags:

Subscribe

National International State Sports Entertainment