ନୂଆଦିଲ୍ଲୀ, ଅଗଷ୍ଟ ୧୨ (ଖବର ଓଡ଼ିଶା): ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ୪ଟି ଭିନ୍ନ ଭିନ୍ନ ମାମଲାରେ ୨ ଜଣ ଦକ୍ଷିଣ ଆଫ୍ରିକୀୟ ନାଗରିକଙ୍କ ସମେତ ମୋଟ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନଙ୍କ ଠାରୁ ୧୦ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଜବତ ହୋଇଛି । ଦିଲ୍ଲୀ ପୁଲିସ ଗୁରୁବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛି । ପୁଲିସ କହିବା ଅନୁସାରେ ୧.୭ କିଲୋଗ୍ରାମ ହେରୋଇନ, ୧୦ ଗ୍ରାମ କୋକିନ ଓ ୧୨ଗ୍ରାମ ମେଫେଡ୍ରୋନ ଜବତ କରାଯାଇଛି । ଜବତ ହୋଇଥିବା ନିଶା ଦ୍ରବ୍ୟର ଅନ୍ତର୍ଜାତୀୟ ବଜାରର ମୂଲ୍ୟ ୧୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କହିଛି ।
ମଂଗୋଲପୁର ନିବାସୀ ନିଶା ଚାଲାଣକାରୀ ଶଂପେନ ସିଂହଙ୍କ ବାବାଦରେ ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା । ଗୁଇନ୍ଦା ତଥ୍ୟ ଆଧାରରେ ସଂଜୟ ଗାନ୍ଧୀ ହସ୍ପିଟାଲରେ ଚଢ଼ଉ କରାଯାଇଥିଲା । ଦିଲ୍ଲୀ ପୁଲିସର ଅପରାଧା ଶାଖାର ଉପାୟୁକ୍ତ କେ ପିଏସ ମାଲହୋତ୍ରାଙ୍କ ଅନୁସାରେ ଚଢ଼ଉ ସମୟରେ ଶଂପେନଙ୍କ ଠାରୁ ୫୦୦ ଗ୍ରାମ ହେରୋଇନ ଜବତ କରାଯାଇଛି । ଶଂପେନ ନାଁରେ ଜୁଆ ଖେଳିବା ଓ ଅସ୍ତ୍ର ଜବତ କରିବା ନେଇ ମାମଲା ଥିଲା । ଶଂପେନର ସହଯୋଗ ଅର୍ପଣ ଠାରୁ ପୁଲିସକୁ ୫୦୦ ଗ୍ରାମ ମାଦକ ଦ୍ରବ୍ୟ ମିଳିଥିଲା ।
ଅନ୍ୟ ଏକ ଘଟଣାରେ ୨ ଜଣ ଆଫ୍ରିକୀୟ ନାଗରିକ ବିଟାଲିସ ଚିନେଡ୍ଡୁ ଓ କାଲେବ ମାଜୀ ଓଗବୁଆକୁଙ୍କୁ ଗିରଫ କରି ସେମାନଙ୍କ ଠାରୁ ୫୧୩ ଗ୍ରାମ ହେରୋଇନ, ୧୦ ଗ୍ରାମ କୋକିନ ଓ ୧୨ ଗ୍ରାମ ମେଫେଡ୍ରୋନ ଜବତ କରାଯାଇଥିଲା । ପୁଲିସ ଅନ୍ତିମ ଅଭିଯାନରେ ବଜୀପୁର ନିବାସୀ ବିଜୟ କୁମାରକୁ ପୀରାଗଢ଼ି ଠାରୁ ଗିରଫ କରି ତାଠାରୁ ୨୦୦ ଗ୍ରାମ ହେରୋଇନ ଜବତ କରିଛି ।