ଖବର ଓଡିଶା : 26/05/2023
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡ଼ା କୋର୍ଟକୁ ଯାଇ ପୁରା ଘଟଣାର ଚାର୍ଜସିଟ ଦାଖଲ କରିଛି l ତଦନ୍ତକାରୀ ଡିଏସପି ଅଧିକାରୀ କଲେ ଚାର୍ଜସିଟ୍ ଦାଖଲ । ଚାର୍ଜସିଟ ଦାଖଲ ସମୟରେ ସଦର ଏସଡିପିଓ ନିର୍ମଳ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। ଆଜି ଡିଏସପି ରମେଶ ଦୋରାଙ୍କ ନେତୃତ୍ବରେ ୩ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ କୋର୍ଟରେ ପହଞ୍ଚିଥିଲେ । ତେବେ ଚାର୍ଜସିଟରେ କଣ ଉଲ୍ଲେଖ ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ସୂଚନା ଅନୁସାରେ, ଗତ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ଆସନ୍ତା ୨୯ରେ ଏହି ମାମଲାକୁ ୧୨୦ ଦିନ ଅର୍ଥାତ ୪ ମାସ ପୁରିଥାନ୍ତା । କିନ୍ତୁ ହତ୍ୟା ଘଟଣାର ୧୨୦ ଦିନ ମଧ୍ୟରେ ହିଁ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ତଦନ୍ତ ସମୟରେ ଅଭିଯୁକ୍ତ ଗୋପାଳର ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା । ଏପରିକି ଏଲଭିଏ ଟେଷ୍ଟର ତର୍ଜମା ଦିଲ୍ଲୀରେ କରାଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ପାରିପାଶ୍ୱିର୍କ ସ୍ଥିତିର ଅନୁଧ୍ୟାନ ପରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ ।