ନୂଆଦିଲ୍ଲୀ, ଅଗଷ୍ଟ ୧୪ (ଖବର ଓଡ଼ିଶା): ଦିଲ୍ଲୀରେ କାନ୍ଥରେ ପରିସ୍ରା କରିବାକୁ ନେଇ ବିବାଦ ହୋଇଛି । ଏହି ଘଟଣାରେ ଜଣେ ଯୁବକଙ୍କୁ ଛୁରୀଭୁସି ହତ୍ୟା କରାଯାଇଛି । ଚାରି ଜଣ ଯୁବକ ମିଶି ଏହି ହତ୍ୟାକାଣ୍ଡ କରିଛନ୍ତି । ଦକ୍ଷିଣ ଦିଲ୍ଲୀର ବେଗମପୁର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । କାନ୍ଥରେ ପରିସ୍ରା କରିବାକୁ ନେଇ ୨ ପକ୍ଷ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା । ପରେ ୪ ଜଣ ଯୁବକ ଜଣେ ବ୍ୟକ୍ତିଙ୍କୁ ଛୁରୀଭୁସି ହତ୍ୟା କରିଦେଇଥିଲେ । ପୁଲିସ ୪ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି ।
ପୁଲିସ କହିଛି ଯେ, ମୃତକ ହେଲେ ଶାହପୁର ଜାଟର ମୟଙ୍କ ପାୱାର । ଅଭିଯୁକ୍ତମାନେ ହେଲେ କାଲୁ ସରାୟର ମନୀଷ (୧୯), ସାବିତ୍ରୀ ନଗର ନିବାସୀ ରାହୁଲ (୧୯), ବେଗମପୁର ଅଞ୍ଚଳର ଆଶୀଷ ତମ୍ବର (୨୦ ଓ ସୁରଜ (୧୯) । ପୋଲିସ କହିଛି ଯେ, ଗୁରୁବାର ବେଗମପୁର ଡିଡିଏ ମାର୍କେଟର ୩ ନମ୍ବର ଗେଟ ନିକଟରେ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼ ହୋଇଥିବା ସୂଚନା ମିଳିଥିଲା । ପୀଡିତଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୟଙ୍କର ବନ୍ଧୁ ବିକାଶ ପୁଲିସକୁ କହିଛି ଯେ, ଉଭୟ ମାଲବ୍ୟନଗରର ଦୁର୍ଗ ବେଗମପୁରରେ ବସିଥିଲେ । ଏହି ସମୟରେ ମୃତ ଯୁବକଙ୍କ ଏକ ଗୋଷ୍ଠୀ ସେଠାକୁ ଆସିଥିଲେ ଏବଂ ସାମାନ୍ୟ କଥାକୁ ନେଇ ଯୁକ୍ତିତର୍କ କରି ଚାଲି ଯାଇଥିଲେ । ପରେ ସେମାନେ ପୁଣି ଆସି ଗଣ୍ଡଗୋଳ କରିଥିଲେ । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, କାନ୍ଥରେ ପରିସ୍ରାକୁ ନେଇ ଝଗଡ଼ା ଓ ହତ୍ୟାକାଣ୍ଡ ହୋଇଥିଲା ।