ବିହାର: ମନ୍ଦିର ଯିବା ବେଳେ କଟିହାର ମେୟରଙ୍କୁ ଗୁଳି କରି ହତ୍ୟା, ଛାତିରେ ବାଜିଲା ୩ଟି ଗୁଳି
Khabar Odisha:Crime-Bihar-Katiha-Mayor-of-Bihar-shoot-dead-in-Katihars-own-colony

କଟିହାର, ଜୁଲାଇ ୩୦ (ଖବର ଓଡ଼ିଶା): ବିହାରରେ ବଢୁଥିବା ଅପରାଧିକ ଘଟଣା ନେଇ ପୋଲିସର ଚିନ୍ତା ବଢ଼ିଛି । କଟିହାରରେ ମେୟର ଶିବରାଜ ପାସୱାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁରୁବାର ରାତି ବାଇକ ଆରୋହୀ ଦୁର୍ବୃତ୍ତମାନେ ଅତି ନିକଟରୁ ଶିବରାଜଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି କରିଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳକୁ ପହଂଚିଥିଲା । ବର୍ତ୍ତମାନ ଯାଏଁ ହତ୍ୟାର କାରଣ ଜଣାପଡ଼ି ନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି । ଏହି ହତ୍ୟାକାଣ୍ଡ ମେୟରଙ୍କ ୱାର୍ଡ ସନ୍ତୋଷୀ କଲୋନୀରେ ଘଟିଛି । 

ଘଟଣା ସଂପର୍କରେ କୁହାଯାଉଛି ଯେ, ବାଇକ ଆରୋହୀ ଦୁର୍ବୃତ୍ତମାନେ ମେୟରଙ୍କ ଅତି ନିକଟକୁ ଆସିଥିଲେ । ୪ ଜଣ ଦୁର୍ବୃତ୍ତ ଅତର୍କିତ ଭାବେ ମେୟରଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି କରି ଫେରାର ହୋଇଯାଇଥିଲେ । ମେୟରଙ୍କ ଛାତିରେ ୩ଟି ଗୁଳି ବାଜିବା ପରେ ସେ ସେଠାରେ ଟିଳ ପଡ଼ିଥିଲେ । ଏହା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ସଂପର୍କରେ ଜାଣିବା ପରେ ପ୍ରଶାସନ ଓ ପୋଲିସର ଚିନ୍ତା ବଢ଼ିଯାଇଛି । 

ପୋଲିସ ଏବେ ପୂରା ଅଂଚଳକୁ ସିଲ କରି ଘଟଣାର ତଦନ୍ତ କରୁଛି । ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳକୁ ପହଂଚିଛନ୍ତି । ଗୁରୁତର ଆହତ ମେୟରଙ୍କୁ କଟିହାର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଜିଲ୍ଲା ମାଜିଷ୍ଟ୍ରେଟ ଉଦୟନ ମିଶ୍ରା ଗଣମାଧ୍ୟମକୁ କହିଛନ୍ତି ଯେ, ମନ୍ଦିର ଯିବା ସମୟରେ ମେୟରଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । 

 

  • Tags:

Subscribe

National International State Sports Entertainment