ନୂଆଦିଲ୍ଲୀ, ଅଗଷ୍ଟ ୧୫ (ଖବର ଓଡ଼ିଶା): ଦ୍ୱାରକା ସାଉଥ ଥାନା ପୁଲିସ ବାଂଲାଦେଶରୁ ଚିକିତ୍ସା କରାଇବା ପାଇଁ ଭାରତ ଆସିଥିବା ଲୋକଙ୍କ ପାଇଁ ନକଲି କାଗଜପତ୍ର ପ୍ରସ୍ତୁତ କରିଥିବା ୨ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି । ଏହି ୨ ଜଣ ବ୍ୟକ୍ତି ରାମଫଳ ଛକରୁ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ମହମ୍ମଦ ମୁସ୍ତଫା ଓ ମହମ୍ମଦ ହୁସେନ ଶେଖ । ସେମାନଙ୍କ ପାଖରୁ ୧୧ଟି ପାସପୋର୍ଟ ଓ ବାଂଲାଦେଶ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର ୧୦ଟି ନକଲି ଷ୍ଟାମ୍ପ ଜବତ ହୋଇଛି । ପୁଲିସ ଏବେ ଜାଣିବାକୁ ତଦନ୍ତ କରୁଛି ଯେ, ଗିରଫ ଅଭିଯୁକ୍ତମାନେ କେତେ ଲୋକଙ୍କ ପାଇଁ ନକଲି କାଗଜପତ୍ର ପ୍ରସ୍ତୁତ କରିସାରିଛନ୍ତି । ଏହି ପୂରା ମାମଲାରେ ଏକ ହସ୍ପିଟାଲର ଭୂମିକା ଥିବା ନେଇ ପୁଲିସକୁ ସନ୍ଦେହ ହୋଇଛି ।
ଡିସିପି ଏମ ହର୍ଷବର୍ଦ୍ଧନ କହିଛନ୍ତି ଯେ, ସ୍ୱାଧୀନତା ଦିବାକୁ ନେଇ ଯାଞ୍ଚ ସମୟରେ ଅଗଷ୍ଟ ୧୩ ତାରିଖ ଦ୍ୱାରିକା ସାଉଥ ଥାନାର ଏଏସଆଇ ହରିଓମ ଓ କନଷ୍ଟେବଳ ମହେଶ ଜାଣିବାକୁ ପାଇଥିଲେ ଯେ, ରାମଫଳ ଛକରେ ୨ ଜଣ ବାଂଲାଦେଶୀ ନାଗରିକ ବେଆଇନ କାମ କରୁଛନ୍ତି । ପୁଲିସ ଅତର୍କିତ ଭାବେ ଚଢ଼ଉ କରି ୨ ଜଣଙ୍କୁ ଗିରଫ କରିଥିଲା । ପଚରାଉଚରା ବେଳେ ଜଣାପଡ଼ିଥିଲା ଯେ, ସେମାନେ ବାଂଲାଦେଶୀ ନାଗରିକ । ଗୋଟିଏ ସଂସ୍ଥା ପାଇଁ କାମ କରନ୍ତି । ଅନେକ ଲୋକ ବାଂଲାଦେଶରୁ କିଡନୀ ଓ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଦିଲ୍ଲୀ ଆସୁଛନ୍ତି । ଏଥି ପାଇଁ ବିଭିନ୍ନ ପ୍ରକାରର କାଗଜପତ୍ର ଦରକାର ପଡ଼ିଥାଏ । ତେଣୁ ବାଂଲାଦେଶ ଯାଇ ପ୍ରକୃତ କାଗଜପତ୍ର କରିବା ସମ୍ଭବ ହୋଇ ନଥାଏ । ତେଣୁ ସେମାନେ ଅସାଧୁ ଉପାୟ ଅବଳମ୍ବନ କରିଥାନ୍ତି ।