ଆଗ୍ରା, ଜୁନ୍ ୨୯ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଆଗ୍ରାରେ ଜଣେ ତାନ୍ତ୍ରିକ ଚାମୁଣ୍ଡା ଦେବୀଙ୍କୁ ଖୁସି କରିବା ପାଇଁ ଅଢ଼େଇ ବର୍ଷ ବୟସର ଶିଶୁକୁ ବଳି ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ତାନ୍ତ୍ରିକ ଭୋଳା ଓରଫ ହୁକୁମ ସିଂହକୁ ଗିରଫ କରିଛି । ପଚରାଉଚରା ସମୟରେ ଅଭିଯୁକ୍ତ ପୋଲିସକୁ କହିଛି ଯେ, ତା’ର ତନ୍ତ୍ର ଶକ୍ତି ହ୍ରାସ ପାଉଥିଲା । ଏହାକୁ ପୁଣି ଥରେ ଉଦଜୀବିତ କରିବା ପାଇଁ ଶିଶୁପୁତ୍ରକୁ ବଳି ଦେଇଥିଲା ।
ଜଗନେର ଥାନା ଅଞ୍ଚଳରେ ଗତ ୧୫ ତାରିଖ ଦିନ ଏହି ଅଭାବନୀୟ ଘଟଣା ଘଟିଛି । ଗାଁର ହୁକୁମ ସିଂହ ଚାମୁଣ୍ଡା ଦେବୀକୁ ଖୁସି କରିବା ପାଇଁ ରାମଅବତାରଙ୍କ ପୁଅ ରିତିକକୁ ବଳି ଦେଇଥିଲା । ଅଭିଯୁକ୍ତ ତାନ୍ତ୍ରିକ ପ୍ରମାଣପତ୍ର ନଷ୍ଟ କରିବା ପାଇଁ ଶିଶୁପୁତ୍ରର ମୃତଦେହ ଏକ ବସ୍ତା ଭିତରେ ଭର୍ତ୍ତି କିବାଡ ନଦୀରେ ଫିଙ୍ଗି ଦେଇଥିଲା । ରାମଅବତାର ନିଜପୁଅକୁ ବହୁତ ଖୋଜାଖୋଜି କରିଥିଲେ ବି ଆଉ ପାଇ ନଥିଲେ । ଶେଷରେ ସେ ପୁଅ ନିଖୋଜ ସଂପର୍କରେ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରି ମୃତଦେହ ଠାବ କରିଥିଲା ଏବଂ ଏହା ପରେ ଗାଁର ଜଣେ ବ୍ୟକ୍ତିଙ୍କ ସହଯୋଗରେ ଅଭିଯୁକ୍ତକୁ ଗିରଫ କରିଥିଲା ।