ବଲାଙ୍ଗୀର, ଜାନୁଆରୀ ୧୯ (ଖବର ଓଡ଼ିଶା): ଓଡ଼ିଶାରେ ମା’ ଓ ଭଉଣୀଙ୍କୁ ସୁରକ୍ଷା ଦେବାର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଏବେ ରାଜ୍ୟର ନାବାଳିକା ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ପ୍ରତିଦିନ ଏଠି ନାବାଳିକା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ନୃସଂସତାର ଖବର ସାମ୍ନାକୁ ଆସୁଛି ।
ବର୍ତମାନ ପୁଣି ରାଜ୍ୟରେ ଲଜ୍ଜାକର ଘଟଣା ଘଟିଛି । ବଲାଙ୍ଗୀରରେ ଏକ ଭିନ୍ନକ୍ଷମ ନାବାଳିକ ସହିତ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଟିଟିଲାଗଡରେ । ଯେଉଁଠି ଜଣେ ଦିବ୍ୟାଙ୍ଗ ଭଉଣୀ ତାର ଭାଇର ଚିକିତ୍ସା ପାଇଁ ଟିଟିଲାଗଡ ହସ୍ପିଟାଲ ଯାଇଥିବା ବେଳେ ପାଖରେ ଥିବା ଆହାର କେନ୍ଦ୍ରକୁ ଖାଦ୍ୟ ଖାଇବାକୁ ଯାଇଥିବା ସମୟରେ ତା ସହିତ ଆହାର କେନ୍ଦ୍ର କର୍ମଚାରୀ ଦୁର୍ବ୍ୟବହାର କରିବା ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ସବୁଠାରୁ ବଡ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ଏହି ଘଟଣାକୁ ୪ ମାସ ବିତିଗଲାଣି । ପୀଡିତା ଓ ପରିବାର ଲୋକଙ୍କ ପକ୍ଷରୁ ବାରମ୍ବାର ଏନେଇ ପୋଲିସ୍ ପାଖରେ ଅଭିଯୋଗ ପରେ ବି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଭଳି ଟିଟିଲାଗଡ ପୋଲିସ୍ ବି ଏ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିଛି । କାହିଁକି ଯେ ରାଜ୍ୟରେ ଦୁଷ୍କର୍ମ କାରୀ ମାନଙ୍କୁ ପୋଲିସ୍ ଘଣ୍ଟ ଘୋଡାଉଛି ତାହା ଏବେ ରାଜ୍ୟ ବାସୀଙ୍କ ମନରେ ସବୁଠାରୁ ବଡ ପ୍ରଶ୍ନ ।
ବର୍ତମାନ ସେହି ଭିନ୍ନକ୍ଷମ ନାବାଳିକା ଜଣଙ୍କ ଗର୍ଭବତୀ ଥିବା ସୂଚନା ମିଳିଛି । ଅନ୍ୟପଟେ ଏହି ମାମଲାରେ ଜିଲ୍ଲା ବିଜେପି ପ୍ରତିନିଧି ଦଳ ପକ୍ଷରୁ ଟିଟିଲାଗଡ ଥାନାରେ ଏନେଇ ମାମଲା ରୁଜୁ କରାଯାଇଛି ।