ବିଦ୍ୟାଙ୍କ ଉପରେ ବଢୁଛି ସନ୍ଦେହ: ସୌମ୍ୟଙ୍କ ଦଶାହରେ ସାମିଲ ହେଲେନି ବିଦ୍ୟାଭାରତୀ
Khabar Odisha:ACF-Soumya-Ranjans-death-case-Doubt-Raises-on-Wife-Bidya-Bharati

ପାରଳାଖେମୁଣ୍ଡି, ଜୁଲାଇ ୨୨ (ଖବର ଓଡ଼ିଶା): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠୁନଥିବା ବେଳେ ଦିନକୁ ଦିନ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଉପରେ ସନ୍ଦେହ ଘନରଭୂତ ହେବାରେ ଲାଗିଛି ।

ଆଜି ମୃତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ଦଶାହ ହୋଇଥିବା ବେଳେ ଏହି କ୍ରିୟାରେ ସାମିଲ ହେଲେନି ପତ୍ନୀ ବିଦ୍ୟାଭାରତୀ । ସୌମ୍ୟଙ୍କ ଗାଁ ତଥା ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବେଗୁନିଆ ଗ୍ରାମରେ ତାଙ୍କର ଦଶାହ କର୍ମ କରାଯାଇଥିବା ବେଳେ ଏଥିରେ ଯୋଗ ଦେଇ ନାହାନ୍ତି ବିଦ୍ୟା ।

ସୌମ୍ୟଙ୍କ ମୃତ୍ୟୁ ପଛରେ ବିଦ୍ୟାଭାରତୀ ଓ ପାରଳାଖେମୁଣ୍ଡି ଡିଏଫଙ୍କ ହାତ ରହିଥିବା ସୌମ୍ୟଙ୍କ ପରିବାର ଲୋକ ବାରମ୍ବାର ଅଭିଯୋଗ ଆଣିବା ପରେ ଉଭୟଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା ।

ଯାହାକୁ ନେଇ ଏହି ମାମଲାରେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ବିଦ୍ୟାଙ୍କୁ ମାରାଥନ୍ ଜେରା କରିସାରିଛି ଓ ଆଜି ଡିଏଫଓ ସଂଗ୍ରାମ ବେହେରାଙ୍କୁ ମଧ୍ୟ ଜେରା ହୋଇପାରେ ବୋଲି ସୂଚନା ମିଳିଛି ।

ଗତ ଜୁଲାଇ ୬ ତାରିଖ ଦିନ ଚିକିତ୍ସାଧିନ ଅବସ୍ଥାରେ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ଅତି ରହସ୍ୟ ମୟ ଭାବରେ ମୃତ୍ୟୁ ହୋଇଥିଲା । ଏହି ଘଟଣାଟି ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ରଖିଥିବା ବେଳେ ଏହି ମାମଲାର ମୂଳ ପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ପହଞ୍ଚି ପାରୁନି ପୋଲିସ୍ ।

ତେବେ ମାତ୍ର ୬ ମାସ ତଳେ ଉଭୟଙ୍କ ବାହାଘର ହୋଇଥିବା ବେଳେ ଦୁହିଁଙ୍କ ଭିତରେ ପରକୀୟା ପ୍ରୀତିକୁ ନେଇ ପ୍ରାୟ ସମୟ ଝଗଡା ଲାଗିରହୁଥିଲା ବୋଲି ସୌମ୍ୟଙ୍କ ପରିବାର ଲୋକ ପୋଲିସ୍ କୁ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଏହି ମାମଲାରେ ଆଉ ଜଣେ ପୋଲିସ୍ ଅଧିକାରୀ ମଧ୍ୟ ଛନ୍ଦି ହୋଇପଡିଛନ୍ତି, ସେ ହେଉଛନ୍ତି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା । ଯିଏକି ଘଟଣା ଦିନ ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ ସୌମ୍ୟଙ୍କୁ ନିଆଯାଉଥିବା ଆମ୍ବୁଲାନ୍ସକୁ ପ୍ରାୟ ଅଧଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅଟକାଇଥିଲେ । 

ତେବେ କେଉଁ କାରଣରୁ ଓଆଇସି ମାଡାମ୍ ଏତେ ସମୟ ଧରି ଆମ୍ବୁଲାନ୍ସ ଅଟକାଇଥିଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିବା ବେଳେ ଆଜି ତାଙ୍କୁ ମଧ୍ୟ ଜେରା କରିପାରେ କ୍ରାଇମବ୍ରାଞ୍ଚ ଟିମ୍ । ତେବେ ଓଆଇସି ମମତା ପଣ୍ଡା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସମ୍ପକୀୟ ବୋଲି ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment