ଖବର ଓଡିଶା : 16/03/2023
ଶବ ବ୍ୟବଚ୍ଛେଦ ପାଇଁ ଲାଞ୍ଚ ମାଗି ଚାକିରିରୁ ବିଦା ହେଲେ କର୍ମଚାରୀ | ନିଜ ଛୁଆର ମୃତଦେହକୁ କୋଳରେ ଧରିଥିବା ଜଣେ ବାପା ସହ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଚାଲିଛି ମୁଲଚାଲ। ଏପରି ଛାତିଥରା ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓ ରେ କର୍ମଚାରି ଜଣଙ୍କ କହୁଛନ୍ତି ' ତୁମ ଛୁଆର ବ୍ୟବଚ୍ଛେଦ ରିପୋର୍ଟ ପାଇବାକୁ ଚାହୁଁଛ, ତ ଆମକୁ ୮ଶହ ଦିଅ। ୨ଶହରେ ମାଲ୍ ପିଇବୁ, ଆମ ୬ଶହ ପକେଟ୍ରେ ପଶିବ । ଅଧା ଟଙ୍କା ଦେଲେ ରିପୋର୍ଟ ବି ଅଧା ପାଇବ। ଜମା ଟଙ୍କା ନ ଦେଲେ ରିପୋର୍ଟ ବି ଜମା ପାଇବ ନାହିଁ। ’ ଏହି ଭିଡିଓ ଭାଇରଲ ହେବା ପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଧେଶକ୍ରମେ ଠିକା କର୍ମଚାରୀ ଧନ୍ଦ କରୁଆଙ୍କୁ ଚାକିରିରୁ ବିଦା କରିଛନ୍ତି ଠିକା ସଂସ୍ଥା କର୍ମଚାରୀ | ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ମଣଦା ଅଞ୍ଚଳର ଜଣେ ମହିଳାଙ୍କ ପ୍ରସବ ହେବା ପରେ ପିଲାଟିର ମୃତ୍ୟୁ ହୋଇଥିବା ଡାକ୍ତରଖାନା କର୍ମଚାରୀ କହିଥିଲେ। ମାତ୍ର କିଛି ସମୟ ପରେ ପିଲାଟିର ହୋସ ଆସିବା ପରେ ଉଭୟ ଦମ୍ପତି ଚିକିତ୍ସା ପାଇଁ ଶିଶୁକୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଇଥିଲେ । ତେବେ ଦୁଇ ଦିନ ପରେ ପିଲାର ମୃତ୍ୟୁ ହୋଇଥିଲା। ମୃତ ଶିଶୁର ଶବ ବ୍ୟବଚ୍ଛେଦ ରିପୋର୍ଟ ମାଗିବାରୁ ତାଙ୍କୁ କର୍ମଚାରୀ ୮ ଶହ ଟଙ୍କା ଲାଞ୍ଚ ମାଗିଥିଲେ | ଯେଉଁ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବା ପରେ ଲାଞ୍ଚ ମାଗୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି। ହେଲେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ 5Tରେ ଅନ୍ତର୍ଭୁକ୍ତ କରାଯିବା ସତ୍ତ୍ୱେ ଗରୀବ ଲୋକ କିପରି ଶୋଷିତ ହେଉଛନ୍ତି ତାହାର ଜ୍ୱଳନ୍ତ ଉଦାହାରଣ ଏଠାରେ ଦେଖିବାକୁ ମିଳିଛି।