ଭୁବନେଶ୍ୱର: ଦେଢ଼ ଲକ୍ଷ ଟଙ୍କା ଦେଲେ ଇସ୍ରାଏଲରେ ମିଳିବ ଚାକିରି । ଏପରି ଓଡ଼ିଆ ଯୁବକଙ୍କୁ ଭୂଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିବାକୁ ହୋଇଥିବା ଯୋଜନା ପଣ୍ଡ ହୋଇଛି । ତାହା ପୁଣି ରାଜ୍ୟ ରାଜଧାନୀର ଛାତି ଉପରେ । ଏଭଳି ଏକ ନିଯୁକ୍ତି ଠକେଇକୁ ଖାରବେଳ ନଗର ଥାନା ପୋଲିସ ପର୍ଦ୍ଦାଫାସ୍ କରିଛି । ଏଥିରେ ସମ୍ପୃକ୍ତି ଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲା ଗଞ୍ଜାମ ଜିଲ୍ଲାର ବାବୁଲା ହରି ଗୌଡ଼, ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲା ଉରାନ ଥାନାର ମହେଶ ରାମଚନ୍ଦ୍ର ଲୋଖଣ୍ଡେ ଓ କୀରଣ ଶଶିକାନ୍ତ ଭମରେ । ଏ ନେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଡିସିପିଙ୍କ ସୂଚନା ମୁତାବକ, ଗତକାଲି ଭୁବନେଶ୍ୱର ଖାରନଗର ଥାନା ଅଧୀନରେ ଥିବା ଏକ ହୋଟେଲରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା । ଗଞ୍ଜାମର ହରି ଗୌଡ଼ ମୁମ୍ବାଇରେ ଚାକିରି କରନ୍ତି । ସେ ତାଙ୍କର ଦୁଇ ବନ୍ଧୁ ମହେଶ ରାମଚନ୍ଦ୍ର ଲୋଖଣ୍ଡେ ଓ କୀରଣ ଶଶିକାନ୍ତ ଭମରେଙ୍କା ସହିତ ମିଶି ଏହି ଫେକ୍ ନିଯୁକ୍ତି ମେଳାର ଆୟୋଜନ କରିଥିଲେ । ଦେଢ଼ରୁ ଦୁଇଲକ୍ଷ ଟଙ୍କା ଲେଖାଏଁ ଦେଲେ ଇସ୍ରାଏଲରେ ଚାକିରି ମିଳିବ ବୋଲି କୁହାଯାଇଥିଲା । ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ମଧ୍ୟ ଦେଇଥିଲେ । ଏ ନେଇ ପ୍ରବାସୀ ସୁରକ୍ଷା ଅଧିକାରୀ ସୁନୀଲ କୁମାର ଶାହ ନାମକ ଜଣେ ବ୍ୟକ୍ତି ରାଜ୍ୟ ଶ୍ରମ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହା ସହିତ ସେ ଖାରବେଳ ନଗର ଥାନାରେ ମଧ୍ୟ ଏଫ୍ଆଇଆର୍ ଦେଇଥିଲେ ।
ସୁନୀଲଙ୍କ ଅଭିଯୋଗ ମୁତାବକ ପୋଲିସ ଖୋଳତାଡ଼ କରି ଘଟଣାର ସତ୍ୟାସତ୍ୟ ଜାଣିବା ପରେ ୩ ଜଣ ଠକଙ୍କୁ ଗିରଫ କରିଛନ୍ତି । ଏମାନେ ପ୍ରତ୍ୟେକ ଯୁବକଙ୍କଠାରୁ ପ୍ରଥମେ ଅଗ୍ରୀମ ରୂପେ ୫ ହଜାର ଟଙ୍କା ନେଇଥିଲେ । ପରେ ମିଥ୍ୟା ଯବ୍ ଲେଟର୍ ଦେବା ପରେ ଆଉ ୭୦ ହଜାର ଟଙ୍କା ନେଇ ଥାଆନ୍ତେ ବୋଲି କହିଛନ୍ତି ଡିସିପି । ସମସ୍ତଙ୍କ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି, ଅଭିଯୁକ୍ତମାନେ ପେସାରେ ମିଛ ନିଯୁକ୍ତି କରନ୍ତି, ନାଁ ଏହା ତାଙ୍କର ପ୍ରଥମ ଘଟଣା । ଯଦି ଏପରି ପୂର୍ବରୁ କରିଛନ୍ତି, ତେବେ କିଏ କିଏ ଇସ୍ରାଏଲ୍ ଯାଇଛନ୍ତି ସେ ନେଇ ଏବେ ପ୍ରଶ୍ନ ଉଠିଛି । ତେବେ ସେମାନଙ୍କ ବିଭିନ୍ନ କଲ ରେକର୍ଡକୁ ତଦନ୍ତ ପରିସର ଭୁକ୍ତ କରି ତଦନ୍ତ ଆରମ୍ଭ ହୋଇଛି ।