କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅଞ୍ଚଳର ବହୁଚର୍ଚ୍ଚିତ ୩ ବର୍ଷ ବୟସର ଶିଶୁ କନ୍ୟାକୁ ଦୁଷ୍କର୍ମ ମାମଲାରେ ଫାଷ୍ଟ୍ରାକ୍ ପୋକ୍ସୋ କୋର୍ଟ ମାମଲାର ଶୁଣାଣି କରି ସମସ୍ତ ସାକ୍ଷ୍ୟପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋଷୀକୁ ୧୦ ବର୍ଷ ଜେଲ୍ ଦଣ୍ଡ ଓ ଜୋରିମାନା ଦାଖଲ ନକଲେ ଅତିରିକ୍ତ ୧ ବର୍ଷ ଜେଲ୍ ଭୋଗିବାକୁ ପଡିବ ବୋଲି ରାୟରେ ପ୍ରକାଶ କରିଛନ୍ତି । ଏଥିସହ ପୀଡିତାଙ୍କୁ ଅନୁକମ୍ପାମୁଳକ ସହାୟତା ରାଶି ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ କୋର୍ଟ ଆଦେଶ ପ୍ରଦାନ କରିଛନ୍ତି ।
ସୂଚନା ଅନୁସାରେ, ରାଜକନିକା ଥାନା ଅନ୍ତର୍ଗତ କୋଠସାହି ଗ୍ରାମରେ ୨୦୧୭ ମସିହା ନଭେମ୍ବର ୧୩ ତାରିଖରେ ଜଣେ ୩ବର୍ଷର ଶିଶୁ ଘର ପାଖରେ ଖେଳୁଥିବା ସମୟରେ ସେହି ଗ୍ରାମର ରମେଶ ମଲ୍ଲିକଙ୍କ ପୁଅ ରାଜେଶ ମଲ୍ଲିକ(୩୦) ତାକୁ ଚକୋଲେଟ୍ ଦେବ ବୋଲି ପ୍ରଲୋଭିତ କରି ଘର ପଛପଟକୁ ନେଇଯାଇ ଦୁଷ୍କର୍ମ କରିଥିଲା । ଏହି ସମୟରେ ପୀଡିତା କାନ୍ଦିବାରୁ ତାଙ୍କ ମା’ କାନ୍ଦ ଶୁଣି ଘଟଣା ସ୍ଥଳରେ ପହଞ୍ଚି ଝିଅ କୁ ଉଦ୍ଧାର କରିଥିଲେ । ଅଭିଯୁକ୍ତ ରାଜୁ ତାଙ୍କୁ ଗାଳି ଦେବା ସହ ଏ ବାବଦରେ କାହା ଆଗରେ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ।
ତେବେ ପୀଡିତାଙ୍କ ମା’ ପୀଡିତାକୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ରାଜକନିକା ଡାକ୍ତରଖାନାକୁ ନେଇଥିଲେ ଓ ରାଜକନିକା ଥାନାରେ ଏତଲା ଦେଇଥିଲେ । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ କରି ଅଭିଯୁକ୍ତକୁ ୨୦୧୭ ମସିହା ନଭେମ୍ବର ୩୦ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ଓ ୨୦୧୮ ମାର୍ଚ୍ଚ ମାସ ୮ ତାରିଖରେ ଚୂଡାନ୍ତ ରିପୋର୍ଟ ଦାଖଲ କରିଥିଲା । କୋର୍ଟରେ ଚୁଡାନ୍ତ ରିପୋର୍ଟ ଦାଖଲ ହେବା ପରେ ଶୁଣାଣି ତ୍ୱରାନ୍ୱିତ ହୋଇଥିଲା । କୋର୍ଟ ୧୭ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ରାଜୁକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍ ଦଣ୍ଡ ଓ ଜରିମାନା ଆଦେଶ ଦେଇଥିଲେ , ଯଦି ଜରିମାନା ଦାଖଲ ନକଲେ ତେବେ ଅତିରିକ୍ତ ବର୍ଷେ ଜେଲ୍ ଭୋଗିବାକୁ ପଡିବ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି ମାନ୍ୟବର କୋର୍ଟ ।
ଅଧିକ ପଢ଼ନ୍ତୁ : ଟ୍ରେନ ଚଢ଼ି ଚାଲିଗଲା ମହିଳାଙ୍କ ଜୀବନ