ଖବର ଓଡ଼ିଶା: ଚଣ୍ଡିଗଡ଼ କୋର୍ଟ ପରିସରରେ ଗୁଳି ବିନିମୟ ହୋଇଛି । ପଞ୍ଜାବର ଜଣେ ପୂର୍ବତନ ପୁଲିସ ଅଧିକାରୀ କୋର୍ଟରେ ତାଙ୍କ ଜ୍ୱାଇଁଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ଜ୍ୱାଇଁ ହରପ୍ରୀତ ସିଂ । ସେ କୃଷି ବିଭାଗରେ ଆଇଆରଏସ ଥିଲେ ବୋଲି ଜଣା ପଡ଼ିଛି । ଅଭିଯୁକ୍ତ ମଲବିନ୍ଦର ସିଂଙ୍କୁ ପୁଲିସ ଗିରଫ କରିଛି ।
ପୂର୍ବତନ ପୁଲିସ ଏଆଇଜି ମଲବିନ୍ଦର ସିଂ ଏବଂ ଜ୍ୱାଇଁ ହରପ୍ରୀତ ସିଂ ବିବାହ ବିବାଦ ମାମଲାରେ ଚଣ୍ଡିଗଡ଼ ଫ୍ୟାମିଲି କୋର୍ଟକୁ ଆସିଥିଲେ। କୋର୍ଟରେ ଉଭୟ ପକ୍ଷର ଶୁଣାଣି ଚାଲିଥିଲା । ଏହି ସମୟରେ ମଲବିନ୍ଦର ସିଂ ବାଥରୁମକୁ ଯିବାକୁ କହିଥିଲେ ଏବଂ ଜ୍ୱାଇଁ ହରପ୍ରୀତ କହିଥିଲେ ଯେ ମୁଁ ରାସ୍ତା ଦେଖାଇ ଦେବି । ଦୁହେଁ କୋର୍ଟ ରୁମରୁ ବାହାରକୁ ଚାଲିଯାଇଥିଲେ । ମଲବିନ୍ଦର ହରପ୍ରୀତଙ୍କ ଉପରକୁ ନିଜ ବନ୍ଧୁକରୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିଲା । ଏଥିରୁ ଦୁଇଟି ଜ୍ୱାଇଁର ଦେହରେ ବାଜିଥିବା ବେଳେ ଆଉ ଗୋଟିଏ କବାଟରେ ବାଜିଥିଲା ଓ ଆଉ ଦୁଇଟି ଫାଙ୍କାରେ ଚାଲି ଯାଇଥିଲା । ଗୁଳି ଶବ୍ଦ ଶୁଣିବା ମାତ୍ରେ କୋର୍ଟରେ ଚହଳ ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ଥିବା ଓକିଲମାନେ ଅଭିଯୁକ୍ତକୁ କାବୁ କରି ଏକ କୋଠରୀରେ ତାଲା ପକାଇ ପୁଲିସକୁ ସୂଚନା ଦେଇଥିଲେ । ଏହା ପରେ ଆହତ ଆଇଆରଏସ ଅଧିକାରୀ ହରପ୍ରୀତ ସିଂଙ୍କୁ ସେକ୍ଟର 16 ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ମଲବିନ୍ଦର ସିଂଙ୍କୁ ପୁଲିସ ଗିରଫ କରିଛି ।
ଗତ ବର୍ଷ ନଭେମ୍ବରରେ ପଞ୍ଜାବ ପୁଲିସର ମାନବାଧିକାର ସେଲର ତତ୍କାଳୀନ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ମାଲବିନ୍ଦର ସିଂ ସିଦ୍ଧୁଙ୍କ ବିରୋଧରେ ପଦବୀକୁ ଅପବ୍ୟବହାର, ପ୍ରତାରଣା, ବ୍ଲାକମେଲ, ଚୋରୀ ଏବଂ ସରକାରୀ କର୍ମଚାରୀଙ୍କଠାରୁ ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗରେ ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ମାମଲା ରୁଜୁ କରିଥିଲା।