ଖବର ଓଡ଼ିଶା: ସ୍ମାର୍ଟ ସିଟି ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ସଙ୍ଗୀନ ହୋଇ ପଡ଼ିଛି । ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ମାତ୍ର ମାସକରେ ୩୦୦ ପାର କଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଜୁଲାଇ ମାସରେ କ୍ୟାପିଟାଲ ହସ୍ପିଟାଲରେ ମୋଟ୍ ୩୦୫ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ଅଧିକାଂଶ ରାଜଧାନୀ ବାହାରୁ ହୋଇଥିବା କ୍ୟାପିଟାଲ ହସ୍ପିଟାଲ ଉପ ଅଧିକ୍ଷକ ଡାକ୍ତର ଧନଞ୍ଜୟ ଦାସ କହିଛନ୍ତି।
ଉପ ଅଧିକ୍ଷକ ଡାକ୍ତର ଧନଞ୍ଜୟ ଦାସଙ୍କ ସୂଚନା ମୁତାବକ, ଜୁଲାଇ ମାସରେ କ୍ୟାପିଟାଲ ହସ୍ପିଟାଲରେ ମୋଟ ୩୦୫ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ପ୍ରାୟ ୧୦୦ ଜଣ ଗୁରୁତର ଡେଙ୍ଗୁ ରୋଗୀ ଡେଙ୍ଗୁ ୱାର୍ଡ଼ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଗୁରୁବାର ୧୪୧ଟି ରକ୍ତ ନମୂନାରୁ ୪ଟି ଡେଙ୍ଗୁ ପଜିଟିଭ ବାହାରିଛି । ୪ଜଣ ଡେଙ୍ଗୁ ରୋଗୀ ମେଡ଼ିକାଲର ସ୍ୱତନ୍ତ୍ର ୱାର୍ଡ଼ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଗତକାଲି ଏହି ସଂଖ୍ୟା ୭ ରହିଥିଲା । ଡେଙ୍ଗୁ ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ୫୦ଟି ସ୍ୱତନ୍ତ୍ର ବେଡ୍ ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ମେଡିସିନ, ଟେଷ୍ଟିଂ କିଟ୍ ଓ ରକ୍ତ ଭଣ୍ଡାରରେ ରକ୍ତ ମହଜୁଦ ରଖାଯାଇଛି । ଆବଶ୍ୟକ ହେଲେ ହସ୍ପିଟାଲରେ ଟେଷ୍ଟିଂ ବଢ଼ାଯିବ ବୋଲି ଡାକ୍ତର ଦାସ କହିଛନ୍ତି ।
କିନ୍ତୁ ଗତବର୍ଷ ତୁଳନାରେ ଏଥର ଡେଙ୍ଗୁ ପଜିଟିଭ ସଂଖ୍ୟା ରାଜଧାନୀରେ କମ ରହିଛି । ରାଜଧାନୀ ବାହାରୁ ଅଧିକ ଡେଙ୍ଗୁ ରୋଗୀ ଆସୁଛନ୍ତି । ଆଗକୁ ଏହି ସଂଖ୍ୟା ବଢ଼ିପାରେ । ଏବେ ବର୍ଷା ହେଉଛି । ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଅଧିକ ପଜିଟିଭ ଆସି ପାରନ୍ତି ବୋଲି ଡାକ୍ତର ଅନୁମାନ କରିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଡାକ୍ତର ଧନଞ୍ଜୟ ଦାସ ପରାମର୍ଶ ଦେଇଛନ୍ତି । ଘର ନିକଟରେ ବର୍ଷା ପାଣି ଜମିବାକୁ ଦିଅନାହିଁ । ଦିନରେ ବିଶେଷ କରି ଡେଙ୍ଗୁ ମଶା କାମୁଡ଼ୁ ଥିବାରୁ ଛୋଟ ପିଲା ଓ ବୟସ୍କମାନଙ୍କୁ ମଶାରୀ ମଧ୍ୟରେ ରଖନ୍ତୁ ଓ ଜ୍ଵର କିମ୍ବା ଅନ୍ୟ ଡେଙ୍ଗୁ ଲକ୍ଷଣ ଦେଖାଗଲେ ସଙ୍ଗେ ସଙ୍ଗେ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ।