ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପ ନେଇ ବିଧାନସଭାରେ ବିସ୍ତୃତ ତଥ୍ୟ ରଖିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱରରେ ୨୦ ଟି ପ୍ରମୁଖ ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ କରାଯିବ । ଏ ନେଇ ଲିଖିତ ଉତ୍ତର ରଖିଛନ୍ତି ସରକାର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ଭୁବନେଶ୍ୱରରେ ୨୦ ଟି ପ୍ରମୁଖ ସ୍ଥାନ ଯଥା ଭୁବନେଶ୍ଵର ବିମାନ ବନ୍ଦର, କ୍ୟାପିଟାଲ ହସ୍ପିଟାଲ, ବାପୁଜୀ ନଗର, ଭୁବନେଶ୍ଵର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀ ବିହାର, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଡମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ବାରଙ୍ଗ, ଫୁଲ ପୋଖରୀ, ତ୍ରିଶୁଳିଆ ଛକ ଭଳି ପ୍ରମୁଖ ଛକରେ ରହିବ ମେଟ୍ରୋ ଷ୍ଟେସନ । ମେଟ୍ରୋ ରେଳ ପ୍ରକଳ୍ପ ନିମନ୍ତେ, ଆର୍ଥିକ ବର୍ଷ ୨୦୨୩-୨୪ରେ ୨୧୦ କୋଟି ମଞ୍ଜୁର କରାଯାଇଥିବାବେଳେ ୨୦୨୪-୨୫ ଆର୍ଥିକ ବର୍ଷର ୧୦୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପ ୪ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୭ ଡ଼ିସେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।