ମୁମ୍ବାଇ: ଭାରତୀୟ ସେୟାର ବଜାର ପୁଣି ଉଛୁଳିଛି। ଆଜି ମଧ୍ୟ ସେୟାର ମାର୍କେଟ ଏଭଳି ଭାବେ ବଢିଛି ଯାହା ପୂର୍ବର ସବୁ ରେକର୍ଡକୁ ଅତିକ୍ରମ କରିଛି। ସପ୍ତାହର ତୃତୀୟ ଦିନରେ ବୁଧବାର ଉଭୟ ସେନ୍ସେକ୍ସ ଓ ନିଫ୍ଟିର ସୂଚକାଙ୍କ ଉଚ୍ଚତମ ସ୍ତରକୁ ଛୁଇଁଛି। ଏହା ସର୍ବକାଳୀନ ରେକର୍ଡ ଅତିକ୍ରମ କରିଛି। ଜୁଲାଇରେ ଉପସ୍ଥାପନ ହେବାକୁ ଥିବା କେନ୍ଦ୍ରୀୟ ସାଧାରଣ ବଜେଟ ପୂର୍ବରୁ ନିବେଶକ ଖୁସି ଦେଖାଯାଉଛନ୍ତି।
ମୁମ୍ବାଇର ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ସେନ୍ସେକ୍ସ ପ୍ରଥମ ଥର ପାଇଁ ୮୦,୪୮୧.୩୬ ଅଙ୍କରେ ପହଞ୍ଚିଛି। ପ୍ରାରମ୍ଭିକ କାରବାର ୧୨୯.୭୨ ଅଙ୍କ ଅଥବା ୦.୧୬ ପ୍ରତିଶତ ବଢ଼ିଥିଲା। ସେହିପରି ନିଫ୍ଟି ୨୬.୬୫ ଅଙ୍କ ଅଥବା ୦.୧୧ ପ୍ରତିତଶ ବଢ଼ି ୨୪,୪୫୯.୮୫ରେ ପହଞ୍ଚିଥିଲା। ଫଳରେ ନିବେଶକଙ୍କ ମଧ୍ୟରେ ଭିନ୍ନ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଛି।
ଷ୍ଟକ ମାର୍କେଟରେ ଜାରି ତୀବ୍ରତା ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଏମ୍-କେପ୍ ୧୫,୮୭୫,୬୬୨.୫୯ ଟଙ୍କା (୫.୪୧ଟ୍ରିଲିୟନ ଡଲାର) ପହଞ୍ଚିଛି। ଜୁନ ଆରମ୍ଭରୁ ଏପର୍ଯ୍ୟନ୍ତ ନିଫ୍ଟି ୧୬ ଥର ଶୀର୍ଷସ୍ତର ଛୁଇଁଛି। ସେହିପରି ସେନସେକ୍ସ ୨୭ ଥର ଶୀର୍ଷସ୍ତରକୁ ସ୍ପର୍ଶ କରିଛି।
ଦେଶରେ ଲଗାତର ତୃତୀୟ ଥର ପାଇଁ ଏନ୍ଡିଏ ସରକାର ଗଠନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ଆରମ୍ଭରୁ ସେୟାର୍ ବଜାରରେ ଭଲ ବେପାର ହେଉଛି। ସେୟାର ମାର୍କେଟ ଏଭଳି ଭାବେ ବଢିଛି ଯାହା ପୂର୍ବର ସବୁ ରେକର୍ଡକୁ ପାର କରିଛି ।ସେୟାର ବଜାରରେ ଅଚାନକ ଏହି ବୃଦ୍ଧିକୁ ନେଇ ନିବେଶକ ମହଲରେ ଖୁସି ଦେଖାଯାଇଛି।