ମୁମ୍ବାଇ, ଅଗଷ୍ଟ ୩୦ (ଖବର ଓଡ଼ିଶା): ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଦେଶର ସର୍ବବୃହତ୍ତ କର୍ପୋରେଟ ଧାରାରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ମୁକେଶ ଅମ୍ବାନୀ ସୋମବାର ସଂକେତ ଦେଇଛନ୍ତି ଯେ, ଆଗାମୀ ପିଢ଼ିକୁ ବଡ଼ ଗୁରୁଦାୟିତ୍ୱ ଦେବେ । ମୁକେଶ ଅମ୍ବାନୀ ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୫ତମ ବାର୍ଷିକୀ ବୈଠକକୁ ସମ୍ବୋଧିତ କରି କହିଛନ୍ତି ଯେ, ନିଜର ଝିଅ ଈଶା ଅମ୍ବାନୀଙ୍କୁ ଗ୍ରୁପର ରିଟେଲ ବିଜନେଓ ମୁଖ୍ୟ କରିବେ ।
ଏହା ପୂର୍ବରୁ ରିଲାଏନ୍ସ କଂପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ହାତରେ ଜିଓର ଦାୟିତ୍ୱ ହସ୍ତାନ୍ତର କରିଥିଲେ । ୬୫ ବର୍ଷୀୟ ମୁକେଶ ଅମ୍ବାନୀଙ୍କ ୩ ସନ୍ତାନ ଅଛନ୍ତି । ଆକାଶ ଓ ଈଶା ଯାଁଳା ସନ୍ତାନ । ଅନନ୍ତ ସାନ । ଈଶାଙ୍କ ବିବାହ ପୀରାମଲ ସମୂହର ଆନନ୍ଦ ପୀରାମଲଙ୍କ ସହିତ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୁକେଶ ଅମ୍ବାନୀ ନିଜର ସାନପୁଅ ଅନନ୍ତଙ୍କୁ ତୈଳ ଏବଂ ଶକ୍ତି ବ୍ୟବସାୟର ଦାୟିତ୍ୱ ଦେଇପାରନ୍ତି ।