ନୂଆଦିଲ୍ଲୀ, ଜାନୁଆରୀ ୦୩ (ଖବର ଓଡ଼ିଶା): ପୂର୍ବତନ କ୍ରିକେଟର ଓ ଟିମ ଇଣ୍ଡିଆର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଝାଡ଼ଖଣ୍ଡର ରାଜଧାନୀ ରାଂଚିସ୍ଥିତ ନିଜ ଫାର୍ମ ହାଉସରେ ପନିପରିବା ଚାଷ କରିଛନ୍ତି । ଏବେ ସେ ନିଜ ଫାର୍ମ ହାଉସରୁ ଉତ୍ପାଦିତ ହେଉଥିବା ପନିପରିବାକୁ ଦୁବାଇକୁ ପଠାଇବେ । ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଧୋନୀଙ୍କ ପନିପରିବା ଦୁବାଇକୁ ପଠାଇବା ପାଇଁ ଝାଡ଼ଖଣ୍ଡ କୃଷି ବିଭାଗ ଦାୟିତ୍ୱ ନେଇଛି ।
କେଉଁ ସଂସ୍ଥା ଦୁବାଇକୁ ଧୋନୀଙ୍କ ଫାର୍ମ ହାଉସରୁ ପନିପରିବ ପଠାଇବେ ତାହା ମଧ୍ୟ ଚୟନ ସରିଛି । ଗଲ୍ଫ ଦେଶକୁ ପନିପରିବା ଯୋଗାଉଥିବା ସଂସ୍ଥା ଧୋନୀଙ୍କ ଫାର୍ମହାଉସରେ ପନିପରିବା ନେବ । ଏବେ ଧୋନୀଙ୍କ ଷ୍ଟବେରୀ, ବନ୍ଧାକୋବି, ବିଲାତି (ଟମାଟୋ), ବ୍ରୋକୋଲି, ମଟରଚଣା, ହକ ଏବଂ ଅମୃତଭଣ୍ଡା ଚାଷ ହୋଇଛି ।
ପ୍ରାୟ ୪୩ ଏକର ଜରିରୁ ଏବେ ୧୦ ଏକର ଜମିରେ ରାଂଚି ରିଙ୍ଗରୋଡସ୍ଥିତ ସେମ୍ବୋ ଗାଁରେ ଏହି ଫାର୍ମ ହାଉସ ଏବେ ପନିପରିବାରେ ହସୁଛି । ରାଂଚି ମାର୍କେଟରେ ଧୋନୀଙ୍କ ଫାର୍ମ ହାଉସରେ ଉତ୍ପାଦିତ ହେଉଥିବା ଟମାଟୋ, କୋବି ଓ ମଟର ଅଧିକ ଚାହିଦା ରହିଛି । ମହେନ୍ଦ୍ର ସିଂହ ଧୋନୀ ଏବେ ଦୁବାଇରେ ନିଜ ପରିବାର ସହିତ ଅଛନ୍ତି । ସେ ସେଠାରେ ନିଜର ପ୍ରଶଂସକଙ୍କ ସହିତ ନୂଆବର୍ଷ ପାଳନ କରୁଛନ୍ତି ।