ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଡିସେମ୍ବର ମାସ। ୨୦୨୪ ବର୍ଷ ମଧ୍ୟ ଶେଷ ହେବାକୁ ଯାଉଛି। ପ୍ରତି ମାସ ଭଳି ଚଳିତ ମାସର ପ୍ରଥମ ତାରିଖରେ ମଧ୍ୟ ଏଲପିଜି ସିଲିଣ୍ଡର ଦର ଅପଡେଟ୍ କରାଯାଇଛି। ନୂଆ, ଅପଡେଟ୍ ଅନୁଯାୟୀ, ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ତଥାପି ଘରୋଇ ସିଲିଣ୍ଡରର ମୂଲ୍ୟ ସ୍ଥିର ରହିଛି।
ତୈଳ ବିପଣନ କଂପାନିଗୁଡ଼ିକର ୱେବସାଇଟ୍ ଅନୁଯାୟୀ, ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୬.୫ ଟଙ୍କା ବୃଦ୍ଧି ପାଇଛି। କ୍ରମାଗତ ପଞ୍ଚମ ମାସ ପାଇଁ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି।
ସଦ୍ୟତମ ମୂଲ୍ୟ ଅନୁଯାୟୀ, ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୮୧୮.୫୦ ଟଙ୍କାକୁ ବୃଦ୍ଧି ପାଇଛି। ଏହାର ପୂର୍ବ ମାସ ଅର୍ଥାତ୍ ନଭେମ୍ବରରେ ଏହାର ମୂଲ୍ୟ ୧୮୦୨ ଟଙ୍କା ଥିଲା। ଆପଣଙ୍କୁ କହିରଖୁଛୁ ଯେ ବାଣିଜ୍ୟିକ ସିଲିଣ୍ଡରର ଓଜନ ୧୯ କିଲୋଗ୍ରାମ। ଏହା ରେଷ୍ଟୁରାଣ୍ଟ ଇତ୍ୟାଦିରେ ବ୍ୟବହୃତ ହୁଏ। ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଯୋଗୁଁ ରେଷ୍ଟୁରାଣ୍ଟଗୁଡ଼ିକ ଖାଦ୍ୟର ମୂଲ୍ୟ ବୃଦ୍ଧି କରୁଥିବା ବିଶ୍ୱାସ କରାଯାଉଛି।
କୋଲକାତାରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୯୨୭ ଟଙ୍କାକୁ ବୃଦ୍ଧି ପାଇଛି। ନଭେମ୍ବରରେ ଏହାର ମୂଲ୍ୟ ୧୯୧୧.୫୦ ଟଙ୍କା ଥିଲା। ମୁମ୍ବାଇରେ ବାଣିଜ୍ୟିକ ସିଲିଣ୍ଡର ର ମୂଲ୍ୟ ୧୭୫୪.୫୦ ଟଙ୍କାରୁ ୧୭୭୧ ଟଙ୍କାକୁ ବୃଦ୍ଧି ପାଇଛି। ଚେନ୍ନାଇରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୯୮୦.୫୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ଆଜିଠାରୁ ପାଟନାରେ ବାଣିଜ୍ୟିକ ସିଲିଣ୍ଡର ୨୦୭୨.୫ ଟଙ୍କାରେ ଉପଲବ୍ଧ ହେବ। ଏଥର ମଧ୍ୟ ଘରୋଇ ଏଲପିଜି ସିଲିଣ୍ଡର ର ମୂଲ୍ୟରେ କୌଣସି ହ୍ରାସ କିମ୍ବା ବୃଦ୍ଧି ହୋଇନାହିଁ। ପୁରୁଣା ଦରରେ ଏହା ସ୍ଥିର ରହିଛି। ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୦୩ ଟଙ୍କା ରହିଛି। ସେହିପରି ପାଟନାରେ ଏହାର ମୂଲ୍ୟ ୮୯୨.୫୦ ଟଙ୍କା ରହିଛି। କୋଲକାତାରେ ଏହାର ମୂଲ୍ୟ ୮୨୯ ଟଙ୍କା ଓ ମୁମ୍ବାଇରେ ୮୦୨.୫୦ ଟଙ୍କା ରହିଛି। ସେହିପରି ଚେନ୍ନାଇରେ ୧୪ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୮୧୮.୫୦ ଟଙ୍କା ରହିଛି।
ଅଧିକ ପଢ଼ନ୍ତୁ: ତେଲେଙ୍ଗାନାର ମୁଲୁଗୁରେ ଏନକାଉଣ୍ଟର, ୭ ନକ୍ସଲ ନିହତ