ମୁଲୁଗୁ: ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ଏତୁରନଗରମ୍ ମଣ୍ଡଳର ଚାଲପାକା ଜଙ୍ଗଲରେ ରବିବାର ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ସୁରକ୍ଷାବାହିନୀର ଗୁଳିରେ ସିପିଆଇ (ମାଓବାଦୀ)ର ୭ ଜଣ କ୍ୟାଡର ନିହତ ହୋଇଥିବା ସୂଚନା ମିଳିଛି।
ମୃତକଙ୍କ ମଧ୍ୟରେ ମାଓବାଦୀ ୟେଲାନ୍ଦୁ-ନରସାମପେଟ ଏରିଆ କମିଟି କମାଣ୍ଡର ବଦ୍ରୁ ଓରଫ ପପାନ୍ନା ଥିବା ଜଣାପଡ଼ିଛି। ଏନକାଉଣ୍ଟର ସ୍ଥଳରୁ ପୁଲିସ ଅସ୍ତ୍ରଶସ୍ତ୍ର ଜବତ କରିଛି। ଗ୍ରେହାଉଣ୍ଡ ଓ ସ୍ଥାନୀୟ ପୁଲିସ ଏନକାଉଣ୍ଟରରେ ଭାଗ ନେଇଥିଲେ। ଏହି ଘଟଣା ସମ୍ପର୍କରେ ପୁଲିସ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ଦେଇନାହିଁ।
ନିକଟରେ ସୀମାନ୍ତ ଛତିଶଗଡ଼ରେ ୧୦ ଜଣ ନକ୍ସଲଙ୍କୁ ସୁରକ୍ଷା ବାହିନୀର ଯବାନମାନେ ନିପାତ କରିଥିଲେ। ସେହିପରି ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ମହିଳା ନକ୍ସଲ ସମେତ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ପୁଲିସ ତରଫରୁ ଆରମ୍ଭ କରାଯାଇଥିବା ଆତ୍ମନିର୍ଭରଶୀଳ ନୀତି ଏବଂ ଘରକୁ ଫେରିଆସ ଯୋଜନାରେ ନକ୍ସଲ ପ୍ରଭାବିତ ହୋଇ ଆତ୍ମସମର୍ପଣ କରୁଛନ୍ତି। ଏଥିସହ ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳରେ ପୁଲିସ କ୍ୟାମ୍ପ ଖୋଲାଯିବାରୁ ମଧ୍ୟ ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗ୍ରହ ଦେଖାଉଛନ୍ତି।
ଦିନକୁଦିନ ମାଓଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ଛତିଶଗଡ଼-ଓଡ଼ିଶା-ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସୀମାରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ମାଲକାନଗିରି ସୀମାନ୍ତ ଜିଲ୍ଲାଗୁଡ଼ିକରେ ଦିନକୁ ଦିନ ମାଓ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ସୁରକ୍ଷା ବ୍ୟବସ୍ଥା ମଜବୁତ ଓ ବିକାଶମୂଳକ କାମରେ ଆକର୍ଷିତ ହୋଇ ନକ୍ସଲ ନେତାମାନେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଗେଇ ଆସୁଛନ୍ତି। ଆତ୍ମସମର୍ପଣ କରୁଥିବା ନକ୍ସଲମାନଙ୍କୁ ସରକାର ବିଭିନ୍ନ ଯୋଜନାରେ ସାମିଲ କରାଉଛନ୍ତି।
ଅଧିକ ପଢ଼ନ୍ତୁ: ପର୍ଯ୍ୟଟନସ୍ଥଳୀକୁ ଯାଉଥିବା ବେଳେ ଟ୍ରକ୍କୁ ଧକ୍କା ଦେଲା କାର୍