ନୂଆଦିଲ୍ଲୀ: କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିର ଖବର । କେନ୍ଦ୍ର ମନ୍ତ୍ରିମଣ୍ଡଳ ଶୁକ୍ରବାର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା(ଡିଏ) ୨ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି । ଏଉହି ଘୋଷଣା ପରେ ଏବେ ଡିଏ ୫୩ରୁ ବଢି ୫୫ ପ୍ରତିଶତ ହୋଇଛି । ଇକୋନୋମିକ୍ସ ଟାଇମ୍ସର ରିପୋର୍ଟରୁ ଏହି ସୂଚନା ମିଳିଛି । ତେବେ ଗତ ଛଅ ମାସରେ ଏହା ସବୁଠୁ କମ ଡିଏ ବୃଦ୍ଧି । ଏହି ବୃଦ୍ଧି ସପ୍ତମ ବେତନ ଆୟୋଗ ଆଧାରରେ ହୋଇଛି । ନିକଟରେ ସରକାର ଅଷ୍ଟମ ବେତନ ଆୟୋଗ ଗଠନ କରିଛନ୍ତି । ନୂଆ ବେତନ ଆୟୋଗଙ୍କ ସୁପାରିସ ୨୦୨୬ ଜାନୁଆରୀ ମାସରୁ ଲାଗୁ ହେବ ବୋଲି ଆଶା କରାଯାଉଛି ।
ସପ୍ତମ ବେତନ ଆୟୋଗର ସୁପାରିସ ମୁତାବକ ବର୍ଷକୁ ଦୁଇ ଥର କେନ୍ଦ୍ରୀୟ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କରାଯାଏ । ପ୍ରତି ଛଅ ମାସରେ ଥରେ ଏହି ବୃଦ୍ଧି ହୋଇଥାଏ । ଶେଷ ଥର ୨୦୨୪ ଜୁଲାଇ ମାସରେ ହୋଇଥିଲା । ସେହି ସମୟରେ ଡିଏ ୫୦ରୁ ୫୩ ପ୍ରତିଶତକୁ ବୃଦ୍ଧି ଘଟିଥିଲା । ଏବେ ନୂଆ ନିଷ୍ପତ୍ତି ଅନୁସାରେ ଭତ୍ତା ୨ ପ୍ରତିଶତ ବୃଦ୍ଧି କରାଯାଇଛି । ୨୦୨୫ ଜାନୁଆରୀରୁ ୨୦୨୫ ଜୁନ ମାସ ଯାଏ ଏହା ଲାଗୁ ହେବ ।
କର୍ମଚାରୀଙ୍କୁ ଜାନୁଆରୀ ଓ ଫେବୃଆରୀ ମାସର ଭତ୍ତା ଏରିୟର ଭାବେ ମିଳିବ । ଯଦି କୌଣସି କେନ୍ଦ୍ରୀୟ କର୍ମଚାରୀଙ୍କ ବେସିକ ସେଲେରି ୧୯ ହଜାର ଟଙ୍କା ରହିଥାଏ ତେବେ ସେମାନଙ୍କୁ ଭତ୍ତା ଭାବେ ୧୦ ହଜାର ୭୦ ଟଙ୍କା ମିଳିଥାଏ । ଏବେ ୨ ପ୍ରତିଶତ ଡିଏ ବଢିବା ପରେ ଏହା ୧୦ ହଜାର ୪୫୦ ଟଙ୍କାକୁ ବୃଦ୍ଧି ଘଟିବ । ଏହି ଦୃଷ୍ଟିରୁ କେନ୍ଦ୍ର କର୍ମଚାରୀଙ୍କ ଭତ୍ତାରେ ୩୮୦ ଟଙ୍କା ବୃଦ୍ଧି ହେବ । ଏହା ସହିତ କର୍ମଚାରୀଙ୍କୁ ଜାନୁଆରୀ ଓ ଫେବୃଆରୀ ଦୁଇ ମାସର ଏରିୟର ଭାବେ ୭୬୦ ଟଙ୍କା ମିଳିବ ।