ନୂଆଦିଲ୍ଲୀ, ଏପ୍ରିଲ ୩୦ (ଖବର ଓଡ଼ିଶା): ଇଲେକ୍ଟ୍ରି ଟୁ-ହୁଇଲର ନିର୍ମାତା ‘ହିରୋ ଇଲେକ୍ଟ୍ରିକ୍’କୁ ଏପ୍ରିଲ ମାସରେ ଶକ୍ତ ଝଟକା ଲାଗିଛି । ଏହି କଂପାନୀ ୨୦୨୨ ମାର୍ଚ୍ଚ ମାସରେ ୧୩,୦୨୩ ୟୁନିଟ ଇଲେକ୍ଟ୍ରିକ୍ ଟୁ-ହୁଇଲର ବିକ୍ରି କରିଥିବା ବେଳେ ଫେବ୍ରୁଆରୀ ମାସରେ ୭୩୬୦ ୟୁନିଟ ବିକିଥିଲା । କିନ୍ତୁ ଏବେ ଏପ୍ରିଲ ମାସରେ କଂପାନୀ ଗୋଟିଏ ମଧ୍ୟ ଦୁଇ ଚକିଆ ଇଲେକ୍ଟ୍ରି ବାହନ ବିକ୍ରି କରିପାରି ନାହିଁ । ହିରୋ ଇଲେକ୍ଟ୍ରିକ ଶୁକ୍ରବାର ଏକ ବୟାନ ଜାରି କରି ଏହା କହିଛି । ଏହା ବଜାରରେ ଏକ ଭିନ୍ନ ବାତାବରଣ କରିଛି । କାରଣ ମାର୍ଚ୍ଚ ମାସରେ ୧୩ ହଜାର ଗାଡ଼ି ବିକ୍ରି କରିଥିବା କଂପାନୀ ଏପ୍ରିଲ ମାସରେ ଅଦୌ ବିକ୍ରି କରିପାରିନାହିଁ ।
କଂପାନୀ କହିବା ଅନୁସାରେ ସେମିକଣ୍ଡକ୍ଟର ଅଭାବ କାରଣରୁ ଯୋଗାଣରେ ଅସୁବିଧା ହୋଇଥିଲା । ଚିପ କମ ହେବା କାରଣରୁ କଂପାନୀର ଉତ୍ପାଦନ ବନ୍ଦ କରିବାକୁ ପଡ଼ିଥିଲା । ଯୋଗାଣ ହୋଇପାରି ନଥିବାରୁ ୱେଟିଂ ଲିଷ୍ଟ ୬୦ ଦିନରୁ ଅଧିକ ହୋଇଯାଇଛି । ପୂରା ଯୋଗାଣ ବାଧିତ ହୋଇଥିବାରୁ କିଛି ଡିଲରଶିପଙ୍କ ପାଖରେ ଡିସପ୍ଲେ ପାଇଁ ମଧ୍ୟ ଷ୍ଟକ ନାହିଁ ।
ହିରୋ ଇଲେକ୍ଟ୍ରିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୋହିନ୍ଦର ଗିଲଙ୍କ କହିବା ଅନୁସାରେ ସ୍ଥିତି ଏତେ ଖରାପ ଯେ, ଦ୍ରୁତଗତିରେ ଯାଉଥିବା ଟ୍ରେନ୍ରେ ଜରୁରୀକାଳୀନ ବ୍ରେକ ଲଗାଇବାକୁ ପଡୁଛି । ସେ କହିଛନ୍ତି ଯେ, କଂପାନୀ ଡବଲ ସେଲିଂ କରୁଥିଲା । କିନ୍ତୁ ଏବେ ଯୋଗାଣ ଅଭାବ ଦେଖାଯାଇଛି ।